ଡେଲଟା ଛକରେ ସ୍କର୍ପିଓ ଭାଙ୍ଗି ଜାଳିଦେବା ଘଟଣା, ୪ ଜଣଙ୍କୁ ଅଟକ ରଖିଛି ପୋଲିସ୍

ଭୁବନେଶ୍ୱର: ଭୁବନେଶ୍ୱର ଡେଲଟା ଛକରେ ସ୍କର୍ପିଓ ଭାଙ୍ଗି ଜାଳିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଆକ୍ସନ ମୋଡ଼ରେ କମିଶନରେଟ୍ ପୋଲିସ । ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ଖଣ୍ଡଗିରି ପୋଲିସ । ଅଟକ ଥିବା ୪ ଜଣ ହେଲେ ସୁଶୀଲ ରାଉତ, ବିଶ୍ୱଜିତ୍ ରାଉତ, ସୁଧୀର ବାରିକ ଓ ରାଜୁ ପ୍ରଧାନ । ଯେଉଁମାନେ ଗଣ୍ଡଗୋଳ କରିଥିଲେ, ଏବେ ସେମାନଙ୍କ ବିରୋଧରେ ଶକ୍ତ ହୋଇଛି ପୋଲିସ । ଅଭିଯୁକ୍ତ କରିଥିବା ଦୋକାନକୁ ମଧ୍ୟ ଭାଙ୍ଗିଛି ପୋଲିସ । ବୁଲିଛି ବୁଲଡୋଜର । ମାଟିରେ ମିଶିଛି ଅପରାଧୀଙ୍କ ଦୋକାନ ଘର । ବିଏମସି ସହାୟତାରେ ଅଭିଯୁକ୍ତଙ୍କ ଦୋକାନକୁ ଭାଙ୍ଗିଛି ଖଣ୍ଡଗିରି ପୋଲିସ ।

କେବଳ ଏମାନେ ନୁହଁନ୍ତି, ଯେଉଁମାନେ ସରକାରୀ ଜାଗା ଓ ଡ୍ରେନ୍ ଉପରେ ଘର କରିଛନ୍ତି ସେମାନଙ୍କ ଘର ମଧ୍ୟ ଭଙ୍ଗାଯାଇଛି । ରାଜଧାନୀରେ ଯେଉଁମାନେ ଅପରାଧ କରିବେ ସେମାନଙ୍କୁ ନିସ୍ତାର ନାହିଁ ବୋଲି କହିଛି ପୋଲିସ । ପୋଲିସ ସୂଚନା ଅନୁସାରେ, ଗାଡି ମାଲିକ ପାଖରେ ସୁଶୀଲ ରାଉତ ଡ୍ରାଇଭର ଭାବେ କାମ କରୁଥିଲେ । ହେଲେ ବକେୟା ଟଙ୍କାକୁ ନେଇ କଥା କଟାକଟି ହୋଇଥିଲା । ଟଙ୍କା ଦେଣନେଣକୁ ନେଇ ଗତକାଲି ଦୋକାନ ପାଖକୁ ଗାଡି ମାଲିକ ଆସିଥିଲେ । ହେଲେ ଏଠାରେ ସାମାନ୍ୟ କଥାକୁ ନେଇ ବଚସା ହେବା ପରେ ପାଟିତୁଣ୍ଡ ଓ ମାରପିଟ ହୋଇଥିଲା । ଫଳରେ ଅଟକ ଥିବା ୪ ଜଣ ଯୁବକ ସ୍କର୍ପିଓ ଗାଡି ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲେ । ପୋଲିସ ଆଖି ଆଗରେ ଗାଡିରେ ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ ।