ନିର୍ବାଚନ ପ୍ରସ୍ତୁତି: ରାଜଧାନୀରେ CRPF ମହିଳା ଯବାନଙ୍କ ଫ୍ଲାଗମାର୍ଚ୍ଚ

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଥିବା ବେଳେ ପ୍ରସ୍ତୁତି ବି ସେହିଭଳି ଚାଲିଛି । ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଉଛି । ଏହି କ୍ରମରେ ରାଜଧାନୀରେ ଫ୍ଲାଗମାର୍ଚ୍ଚ କରିଛନ୍ତି ସିଆରପିଏଫର ମହିଳା ଯବାନ ।

ଭୁବନେଶ୍ବର ଝରଣା ବସ୍ତିରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି । ରାଜମହଲ ଛକରୁ ଝରଣା ବସ୍ତି ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ ହୋଇଛି । ଏଥିରେ ସିଆରପିଏଫ ମହିଳା ୱିଙ୍ଗର ୬୧ ଯବାନଙ୍କ ସହ ଖାରବେଳ ନଗର ଥାନା ଓ କ୍ୟାପିଟାଲ ଥାନା ପୋଲିସ ସାମିଲ ଅଛନ୍ତି ।

ଫ୍ଲାଗ୍‌ ମାର୍ଚ୍ଚରେ ଦୁଇ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି । ଅପରାଧିକ କାର୍ଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ ଫ୍ଲାଗମାର୍ଚ୍ଚରେ ବାର୍ତ୍ତା ଦିଆଯାଉଛି । ଏହାସହ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ସଚେତନତା କରାଯାଉଛି । ନିର୍ବାଚନ ସମୟରେ କିମ୍ବା ପୂର୍ବରୁ ଯଦି କେହି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ୟାପିଟାଲ ଥାନା ଆଇଆଇସି ସୂଚନା ଦେଇଛନ୍ତି । ଆଗକୁ ପ୍ରତି ଥାନା ଅଞ୍ଚଳରେ ଥିବା ବସ୍ତି ଓ ସହରର ପ୍ରମୁଖ ରାସ୍ତାରେ ଫ୍ଲାଗମାର୍ଚ୍ଚ କରାଯିବ ।