ଅଭିଯୁକ୍ତକୁ ନ ଛାଡ଼ିବାରୁ ପୋଲିସକୁ ମାଡ଼

1 min read

ନନ୍ଦିଘୋଷ ବ୍ୟୁରୋ: ଅଭିଯୁକ୍ତକୁ ନ ଛାଡ଼ିବାରୁ ପୋଲିସକୁ ମାଡ଼ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ  । ଖୋଦ ରାଜଧାନୀର ଇନଫୋସିଟି ଥାନାରେ ଦେଖିବାକୁ ଏଭଳି ଅଭାବନୀୟ କାଣ୍ଡ । ଥାନାରେ କାର୍ଯ୍ୟରତ ମହିଳା ସବ-ଇନସପେକ୍ଟରଙ୍କୁ ମାଡ଼ ମାରୁଥିବା ବେଳର ଏକ୍ସକ୍ଲୁସିଭ ଭିଜୁଆଲ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଜଣେ ଠକଙ୍କ ଗିରଫଦାରୀକୁ ନେଇ ଅଳସୁଆ ଗାଁର କିଛି ଲୋକେ ଆଜି ମଧ୍ୟାହ୍ନରେ ଥାନା ଘେରାଉ କରିଥିଲେ । ଥାନା ଗେଟ୍‌ରେ ତାଲା ପକାଇଥିଲେ । ଇନଫୋସିଟି ଥାନା ସମ୍ମୁଖରେ ରାସ୍ତା ଅବରୋଧ କରି ପୋଲିସ ବିରୋଧରେ ଦେଇଥିଲେ ନାରାବାଜି । ସ୍ଥାନୀୟ ଏସିପି ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ଶାନ୍ତ ପଡ଼ିନଥିଲେ ଉତ୍ତ୍ୟକ୍ତ ଲୋକେ । କିଛି ସମୟର ହୋହଲ୍ଲା ପରେ ଥାନା ଭିତରକୁ ସେମାନେ ଧଶେଇ ପଶିଥିଲେ । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମହିଳା ସବ-ଇନସପେକ୍ଟରଙ୍କୁ ମାଡ଼ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ଅଟକ ଅଭିଯୁକ୍ତଙ୍କୁ ଥାନା ଭିତରୁ ନେଇ ଯିବାକୁ ଚେଷ୍ଟା କରିଥିଲେ । ଉତ୍ତେଜନାମୂଳକ ପରିସ୍ଥିତିର ଖବର ପାଇ ଥାନା ଭିତରେ ଓ ବାହାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଅଭିଯୁକ୍ତ ଅଜୟ ମହାନ୍ତିକୁ କୋର୍ଟ ଚାଲାଣ କରିଛି ପୋଲିସ୍ ।