ପୋଲାଭରମ ନେଇ ନବୀନଙ୍କ କଡ଼ା ଆଭିମୁଖ୍ୟ,ଜାନୁଆରୀରୁ ଜୋରଦାର ହେବ ଆନ୍ଦୋଳନ
1 min readଭୁବନେଶ୍ବର: ମୁଁ ବି ଲଢିବି, ତୁମେ ବି ଶେଷ ଯାଏଁ ଲଢ । ପୋଲାଭରମ ନେଇ ଦଳୀୟ ନେତା ଓ କର୍ମୀଙ୍କୁ ଏପରି ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ଆହୁରି ନିର୍ଦ୍ଦେଶ ଦେଇ କହିଛନ୍ତି, ଜାନୁଆରୀରୁ ପୋଲାଭରମ ବିରୋଧୀ ଆନ୍ଦୋଳନ ଜୋରଦାର ହେବ । ମାଲକାନଗିରି ମୋଟୁରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ନବୀନ । ଆଜି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପୋଲାଭରମ ନେଇ ଦିଲ୍ଲୀ ଗସ୍ତର ରିପୋର୍ଟ ପ୍ରଦାନ କରିଛି । ଜୁଲାଇ ଓ ଅଗଷ୍ଟରେ ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ନବୀନ ପଟ୍ଟନାୟକଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେଇଥିଲା । ତାଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇ ବିଜେଡିର ୭ ଜଣିଆ ଟିମ ଓ ୭ ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, CWC, ଆଦିବାସୀ ବ୍ୟାପାର ବିଭାଗର ଆଦିବାସୀ କମିସନଙ୍କୁ ଭେଟିଥିଲା । ଆଜି ସେ ସମ୍ପର୍କରେ ନବୀନଙ୍କୁ ରିପୋର୍ଟ ଦେଇ ଅବଗତ କରିଛି ଟିମ । ଏହାପରେ ଜାନୁଆରୀରୁ ବିଜେଡି ତାର ଲଢେଇକୁ ଜୋରଦାର କରିବ ବୋଲି ନବୀନ କହିବା ସହ ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ ବୋଲି କହିଛନ୍ତି । ଏହା ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ହେବ ବୋଲି କହିଛନ୍ତି ନବୀନ । ତେବେ ଦିଲ୍ଲୀ ଗସ୍ତବେଳେ ଜାତୀୟ ଗଣମାଧ୍ଯମରେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖିବାକୁ ଦାବି କରିଥିଲା ଦଳ ।