କେନ୍ଦ୍ରର ସବୁ ସହଯୋଗ ପାଇ ବି ଆନ୍ଧ୍ରର ପୁରୁନି ପେଟ

ଭୁବନେଶ୍ୱର: ଓଡିଶାକୁ କ୍ଷତି ହେଲା ଭଳି ସବୁ ସହଯୋଗ ପାଇ ବି ଆନ୍ଧ୍ରର ପୁରୁନି ପେଟ। ପୋଲାଭରମ ପ୍ରସଙ୍ଗକୁ ନେଇ ପୁଣି ସଂସଦରେ ଆଲୋଚନା ପାଇଁ ଦାବି। ଏପଟେ ଆକାଶକୁ ଚାତକ ପରି ଓଡ଼ିଶା ସରକାର ଚାହିଁ ରହିଥିବା ଅଭିଯୋଗ। ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ପାଇଁ ୧୬ ହଜାର କୋଟିରୁ ଅଧିକ ଅନୁଦାନ ସହ ସମସ୍ତ ସହାୟତା ଯୋଗାଇ ଚାଲିଛନ୍ତି କେନ୍ଦ୍ରର ବିଜେପି ସରକାର। ଏତିକିରେ ଆନ୍ଧ୍ରର ଶାସକ ଦଳ ତେଲୁଗୁ ଦେଶମ ପାର୍ଟିର ମନ ପୂରୁନି। ସଂସଦର ଚଳିତ ଅଧିବେଶନରେ ପୋଲାଭରମ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ଆଲୋଚନା କରନ୍ତୁ ବୋଲି ଦାବି କରିଛି ଟିଡିପି। ଏହି ପ୍ରସଙ୍ଗରେ ଆଲୋଚନା ସହ କେନ୍ଦ୍ରର ସ୍ପଷ୍ଟୀକରଣ ଲୋଡ଼ାଯିବ ବୋଲି ଟିଡିପି ସଂସଦୀୟ ଦଳ ନେତା ଲାଭୁ ଶ୍ରୀକୃଷ୍ଣଦେବାରାୟାଲୁ ମନ୍ତବ୍ୟ ଦେବା ପରେ ଚର୍ଚ୍ଚା ଜୋର ଧରିଛି। ଏପରିକି ପୋଲାଭରମ ପ୍ରକଳ୍ପ କାମ ବିଳମ୍ବ ପାଇଁ କିଏ ଦାୟୀ ସେ ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟ କରିବାକୁ ଦାବି କରାଯାଇଛି। କିନ୍ତୁ ଏପଟେ ଓଡ଼ିଶାର ବିଜେପି ସରକାର ସମ୍ପୂର୍ଣ୍ଣ ନିରଦ୍ରଷ୍ଟା। ଓଡ଼ିଶାର ସ୍ୱାର୍ଥ ରକ୍ଷାର କଥା କହି ଶାସନକୁ ଆସିଥିଲେ ମଧ୍ୟ ପୋଲାଭରମ ପ୍ରସଙ୍ଗରେ ଓଡିଶା ସରକାର କିମ୍ବା ବିଜେପି ସାଂସଦ ମାନେ କାହିଁକି ଚୁପ ବୋଲି କହି ବର୍ଷିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ କାର୍ଯ୍ୟ କରିବାକୁ ଦାବି ରଖାଯାଇଛି ।

ସେପଟେ ଓଡ଼ିଶାରେ ଖୋଦ ବିଜେପି ସରକାର ଥିବା ବେଳେ ଆନ୍ଧ୍ରରେ ସହଯୋଗୀ ସରକାର ରହିଛି। ତାହେଲେ ପୋଲାଭରମ ପ୍ରସଙ୍ଗରେ ଓଡିଶା ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁକି ବୋଲି ପ୍ରଶ୍ନ ଉଠିଛି । ଏହାକୁ କଡା ନିନ୍ଦା କରିଛି ଓଡିଶା ବିକାଶ ପରିଷଦ। ଏପରିକି ସଂଘୀୟ ଵ୍ୟଵସ୍ଥାରେ ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବାକୁ ଦାବି ହୋଇଛି । ପୂର୍ବରୁ ଏହି ପ୍ରସଙ୍ଗ ନେଇ ବିରୋଧ କରାଯାଇ ଥିବା ବେଳେ ଆଗକୁ ମଧ୍ୟ ଆନ୍ଦୋଳନର ଚେତାବନୀ ଦେଇଛି ପରିଷଦ।

ପୋଲାଭରମ ପ୍ରକଳ୍ପ ହେଉ କିମ୍ବା କୋଟିଆ କିମ୍ବା ପୂର୍ବତଟ ରେଳପଥରୁ ୱାଲଟିୟାର ଡିଭିଜନକୁ ଅଲଗା କରାଯିବା ସବୁ ଘଟଣାରେ ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇ ଆନ୍ଧ୍ରର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଛି। ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ବିରୋଧରେ ଅସନ୍ତୋଷ ବଢିଚାଲିଛି ।