ପୋଲାଭରମ୍ ପ୍ରକଳ୍ପ: ଆକ୍ସନ ମୋଡରେ ତେଲେଙ୍ଗାନା, ଓଡ଼ିଶା ସରକାର ଚୁପ

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଅଞ୍ଚଳର ବୁଡିଯିବ ବୋଲି ବାରମ୍ବାର ଗର୍ଜୁଛନ୍ତି ପ୍ରମୁଖ ରାଜନୈତିକ ଦଳ ଓ ଜନ ସଙ୍ଗଠନ । କିନ୍ତୁ ଓଡିଶା ସରକାର ନିରବ । ଏଭଳି ସମୟରେ ଅଳ୍ପ କିଛି କ୍ଷତିଗ୍ରସ୍ତ ହେବାକୁ ଥିବା ତେଲେଙ୍ଗାନା ସରକାର କିନ୍ତୁ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ଆକ୍ସନ ମୋଡ଼କୁ ଆସିଛନ୍ତି । ପ୍ରକଳ୍ପ ଯୋଗୁଁ ତେଲେଙ୍ଗାନାର କ’ଣ କ୍ଷତି ହେବ ସେ ନେଇ ତୁରନ୍ତ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାକୁ ତେଲେଙ୍ଗାନା ସରକାର ଆଇଆଇଟି ହାଇଦ୍ରାବାଦକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବାରମ୍ବାର ଦାବି ସତ୍ତ୍ୱେ ଓଡିଶା ସରକାର ନିରବ ରହିବାକୁ ବିଜେଡି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ଅନ୍ୟ ପ୍ରମୁଖ ବିରୋଧୀ କଂଗ୍ରେସ ଓ ବାମପନ୍ଥୀ ଦଳର ନେତା ବି ସରକାରଙ୍କ ନିରବପଣିଆକୁ ନିନ୍ଦା କରିଛନ୍ତି।

ଆନ୍ଧ୍ରର ପୋଲାଭରମ ପ୍ରକଳ୍ପରେ ତେଲେଙ୍ଗାନା କମ୍, ଓଡ଼ିଶାର ଅଧିକ କ୍ଷତି ହେବ । ବୁଡ଼ିଯିବ ମାଲକାନଗିରି । ହେଲେ ନିଦାବିଷ୍ଣୁ ରାଜ୍ୟ ସରକାର । ଅପରପଟେ କମ କ୍ଷତି ସହୁଥିଲେ ବି ଆକ୍ସନ ମୁଡରେ ତେଲେଙ୍ଗାନା ସରକାର । ଏବେଠୁ ଆରମ୍ଭ କଲେଣି କ୍ଷୟକ୍ଷତିର ସର୍ଭେ । କେନ୍ଦ୍ର ନିକଟରେ ସ୍ବର ଉଠାଇବାକୁ ହେଲେଣି ପ୍ରସ୍ତୁତ । ରାଜ୍ୟର କ’ଣ କ୍ଷତି ହେବ ସେ ସମ୍ପର୍କରେ ତୁରନ୍ତ ସର୍ଭେ କରି ରିପୋର୍ଟ ଦେବାକୁ ଆଇଆଇଟି ହାଇଦ୍ରାବାଦକୁ ନିର୍ଦ୍ଦେଶ ଦେଇଛନ୍ତି ସେଠାକାର ସରକାର । ଆନ୍ଧ୍ରପ୍ରଦେଶ ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ପ୍ରକଳ୍ପର ଉଚ୍ଚତା ବଢାଇଥିବାରୁ କେନ୍ଦ୍ରୀୟ ଜଳ କମିଶନ, ସେଣ୍ଟ୍ରାଲ ସଏଲ ଆଣ୍ଡ ମ୍ୟାଟେରିଆଲସ ରିସର୍ଚ୍ଚ ଷ୍ଟେସନ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାର ବିଭିନ୍ନ ଜଳ ପ୍ରବାହକୁ ନେଇ ରିସର୍ଚ୍ଚ କରୁଛି ତେଲେଙ୍ଗାନା କଂଗ୍ରେସ ସରକାର ।

କିନ୍ତୁ ଏତେ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗରେ ଓଡିଶା ସରକାର ଚୁପ । ଯାହାକୁ ନେଇ ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏହା ବିଜେପି ସରକାରଙ୍କ ବେପରୱା ମନୋଭାବକୁ ସୁଚାଉଛି ବୋଲି କହିଛି ବିଜେଡି । ପୋଲାଭରମ ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ ମାଲକାନଗିରି । କ’ଣ କ୍ଷତି ହେବ ଓ କିପରି ଭରଣା ହେବ ସେ ସମ୍ପର୍କରେ ସରକାର ପୂରା ନୀରବ । ଏହି ପ୍ରସଙ୍ଗକୁ ବିଜେଡି ଜନ ଆନ୍ଦୋଳନର ରୂପ ଦେବ । ମୋଟୁଠାରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ । ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା ଆମ ଜନତା ଅଧିକାରର କହିବା କଥା ଯଦି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର କ୍ଷତିକୁ ନେଇ ବ୍ୟସ୍ତ ତା’ହେଲେ ଓଡ଼ିଶାର ଡବଲ ଇଞ୍ଜିନ ସରକାର କାହିଁକି ଚୁପ ? ବିଜେପିର ୨୦ ସାଂସଦ କାହିଁକି ଚୁପ ବୋଲି ପ୍ରଶ୍ନ କରିଛି ସଙ୍ଗଠନ ।

କଂଗ୍ରେସ ମଧ୍ୟ ପୋଲାଭରମ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଛି । ତେଲେଙ୍ଗାନାର ରେଭନ୍ତ ରେଡ୍ଡୀ ସରକାର ଯେମିତି ନିଜ ରାଜ୍ୟ ପାଇଁ ଚିନ୍ତିତ ଓଡିଶା ସରକାର ସେମିତି ଚିନ୍ତା କରନ୍ତୁ । ନଚେତ ଆଗାମୀ ଦିନରେ ବିଜେପିକୁ ଏହା ମହଙ୍ଗା ପଡିବ ବୋଲି ଚେତାଇ ଦେଇଛି କଂଗ୍ରେସ । ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗକୁ ସିପିଆଇଏମ ହାଇକୋର୍ଟକୁ ନେଇଛି । ଆଗକୁ ମାଲକାନଗିରି ସମେତ ରାଜଧାନୀରେ ବାମପନ୍ଥୀ ଦଳଗୁଡିକର ବଡ଼ ଆନ୍ଦୋଳନକୁ ସମ୍ମୁଖୀନ ହେବାକୁ ବିଜେପି ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାଇ ଦିଆଯାଇଛି । ସେପଟେ ଓଡ଼ିଆ ଅସ୍ମିତା ପରିଷଦ ମଧ୍ୟ ଓଡିଶା ସରକାରଙ୍କ ନୀରବତାକୁ କଡା ନିନ୍ଦା କରିଛି ।