ପୋଲାଭରମ ପ୍ରସଙ୍ଗକୁ ନେଇ ଗୃହ ତମ୍ବିତୋଫୋନ । ରାଜ୍ଯ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ କହିଲେ ନବୀନ
ଭୁବନେଶ୍ବର : ଗୃହ ଆରମ୍ଭରୁ ହିଁ ଦେଖିବାକୁ ମିଳିଲା ପୋଲାଭରମ ତାତି । ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିଥିବାରୁ ପ୍ରଶ୍ନ କାଳ ଆରମ୍ଭରୁ ତୁମ୍ବିତୋଫୋନ । ହେଲେ ଏହାକୁ ବାଚସ୍ପତି କର୍ଣ୍ଣପାତ ନ କରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରଖିଥିଲେ । ଗୃହକୁ ସ୍ବାଭାବିକ ସ୍ଥିତିକୁ ଆଣି ଗୃହ ଚଳାଇବାକୁ ବିଜେଡି ଦାବି ରଖିଥିଲା । ହେଲେ ନାରାବାଜି ଭିତରେ ପ୍ରଶ୍ନୋତ୍ତର ଜାରି ରହିଥିବାରୁ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ । ବାଧ୍ୟ ହୋଇ ବାଚସ୍ପତି ପ୍ରଥମେ ପ୍ରଶ୍ନ କାଳ ବନ୍ଦ ରଖି ଏକ ଘଣ୍ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଗୃହ ବାହାରକୁ ଆସି ଓଡ଼ିଶା ସ୍ବାର୍ଥ କଥା ଉଠାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢେଇ କରୁଥିଲା। ଆଉ ଆଗକୁ ବି ଲଢେଇ ଜାରି ରହିବ ବୋଲି କହି ଡବଲ ଇଂଜିନ ସରକାରଙ୍କୁ ପୋଲାଭରମରେ ଏକପାଖିଆ ନିଷ୍ପତ୍ତି ନେଇ ଟାର୍ଗେଟ କରିଥଲେ ନବୀନ ।
ଶୂନ୍ୟକାଳରେ ପୋଲାଭରମ ପ୍ରସଙ୍ଗରେ କଂଗ୍ରେସ ସହ ସ୍ଵର ମିଶାଇଲା ବିଜେଡି । ବାଚସ୍ପତି ଘୋଷଣା କଲେ ଯେ ପୋଲାଭରମ ପ୍ରସଙ୍ଗ ଅଦାଳତରେ ବିଚାରାଧୀନ ଥିବାରୁ କଂଗ୍ରେସର ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହୋଇଛି । ବାଚସ୍ପତିଙ୍କ ଏପରି ଘୋଷଣାକୁ ନେଇ ବିଜେଡି ଓ କଂଗ୍ରେସ ବର୍ଷିଥିଲେ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ ଯେ ଗତକାଲି ପୋଲାଭରମ ଦ୍ବାରା କ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଲକାନଗିରିର ଜିଲ୍ଲାକୁ ପଛୁଆ ଜଳ ଯାଇ ଲୋକଙ୍କୁ ପ୍ରଭାବିତ କରିବ । କୋର୍ଟରେ ମାମଲା ବିଚାରାଧୀନ ଥିବା ନେଇ ଯଦି ଲିଖିତ ଉତ୍ତର ରଖାଯାଇ ପାରୁଛି, ତେବେ ଆଲୋଚନାରେ ଅସୁବିଧା କଣ ବୋଲି ରଣେନ୍ଦ୍ର ପ୍ରଶ୍ନ କରିଛନ୍ତି । ପୋଲାଭରମରେ ଓଡ଼ିଶା ବୁଡୁଛି, ଆନ୍ଧ୍ର ହସୁଛି । ହେଲେ ରାଜ୍ୟ ସରକାର ଚୁପ୍ ବସିଥିବା ଅଭିଯୋଗ କରିଛି କଂଗ୍ରେସ । ମୋହନ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯଦି ସରକାର ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ଗୃହରେ ସ୍ବୀକାର କରିଛନ୍ତି ଯେ ପୋଲାଭରମ ଓ ମହାନଦୀ ନେଇ ରାଜ୍ୟ ସରକାର କେନ୍ଦ୍ର, ଆନ୍ଧ୍ର କି ଛତିଶଗଡ଼ ସରକାରଙ୍କ ସହ ଔପଚାରିକ ଆଲୋଚନା କରିନାହାଁନ୍ତି । ରାଜ୍ୟର ସ୍ବାର୍ଥକୁ ମୋହନ ସରକାର କାହିଁକି ବଳି ପକାଉଛନ୍ତି, ତାହା ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।