ପୋଲାଭରମକୁ ନେଇ ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ଆନ୍ଧ୍ର, କ୍ଷତି ସହି ବି ମୂକ ପାଲଟିଛି ଓଡ଼ିଶା

ଭୁବନେଶ୍ୱର : ପୋଲାଭରମକୁ ନେଇ ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ଆନ୍ଧ୍ର । କ୍ଷତି ସହି ବି ମୂକ ପାଲଟିଛି ଓଡ଼ିଶା । ରାଜ୍ୟର ହିତ ପାଇଁ ନା ସରକାରଙ୍କ ଆନ୍ତରିକତା ଅଛି, ନା ବିଜେପି ନେତାଙ୍କ ସ୍ବର ଉଠୁଛି । ଏଭଳି ସ୍ଥିତିରେ ପୋଲାଭରମ ପାଇଁ ହଜାର ହଜାର କୋଟି ଟଙ୍କାର ଅର୍ଥ କେନ୍ଦ୍ରଠୁ ପାଉଛି ଆନ୍ଧ୍ରପ୍ରଦେଶ । ଏବେ ପୋଲାଭରମର ଆଉ ଏକ ଲିଙ୍କ ପ୍ରକଳ୍ପ ପାଇଁ କେନ୍ଦ୍ରଠୁ ଅନୁମତି ଓ ଅର୍ଥ ଦାବି କରିଛନ୍ତି ଆନ୍ଧ୍ର ସରକାର । ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ପୋଲାଭରମ ବନକଚର୍ଲା ଲିଙ୍କ ପ୍ରକଳ୍ପ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଅନୁମତି ମାଗିବା ସହ ୮୦ ହଜାର କୋଟିର ସହାୟତା ମାଗିଛନ୍ତି। ଯାହାକୁ ନେଇ ରାଜ୍ୟରେ ତେଜିଛି ଅସନ୍ତୋଷ । ରାଜ୍ୟ ବିଜେପି ସରକାର ଉପରେ ବର୍ଷିଛି ବିଜେଡି। ଓଡ଼ିଶାର କ୍ଷୟକ୍ଷତି ଭରଣା, ଡ୍ୟାମ ଉଚ୍ଚତା କମାଇବା କିମ୍ବା ପୋଲାଭରମ ଯୋଗୁ ଓଡ଼ିଶାର କ୍ଷତି ଭରଣା ପାଇଁ ସରକାର ମୁହଁ ଖୋଲୁ ନାହାଁନ୍ତି। କିନ୍ତୁ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲଢେଇ କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ କରିଛନ୍ତି । ଏକ ବଡ଼ ମିଳିତ ଲଢେ଼ଇ ହେବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଯଦି କିଛି ଠୋସ ନିଷ୍ପତ୍ତି ନ ଆସେ ତାହେଲେ ୨୯ ତାରିଖରୁ ଜୋରଦାର ଲଢେଇ ଆରମ୍ଭ ହେବ ବୋଲି ବିଜେଡି କହିଛି ।
ସେପଟେ ଅନ୍ୟ ପ୍ରମୁଖ ରାଜନୈତିକ ଦଳ ଗୁଡିକ ମଧ୍ୟ ରାଜ୍ୟ ବିଜେପି ସରକାରର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏବେ ଡବଲ ଇଞ୍ଜିନ ସରକାର ଥିବାବେଳେ ଓଡିଶା କଣ ଖାଲି କ୍ଷତି ସହିବ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେପଟେ ବାମ ଦଳର କହିବା କଥା ବିଜେପି ଶାସନ ସମୟରେ ଖାଲି ମିଛ ଶୁଣିବାକୁ ମିଳୁଛି । ଏହାର ଜବାବ ଲୋକେ ଦେବେ । ସେପଟେ ଜଳ ବିଶେଷଜ୍ଞଙ୍କ କହିବା କଥା ରିଭର ଲିଙ୍କିଙ୍ଗ ପ୍ରକଳ୍ପରେ ଆନ୍ଧ୍ର ସରକାର କେନ୍ଦ୍ର ଠାରୁ ଗୋଟିଏ ପରେ ଗୋଟିଏ ଲାଭ ନେଉଛନ୍ତି । ପୋଲାଭରମ ମଧ୍ୟ ଏକ ରିଭର ଲିଙ୍କିଙ୍ଗ ପ୍ରକଳ୍ପ। ଆନ୍ଧ୍ରର ମରୁଡି ପୀଡ଼ିତ ଅଞ୍ଚଳକୁ ଜଳଯୋଗାଣ ପାଇଁ ପୋଲାଭରମ ବନକଚର୍ଲା ଲିଂକ ପ୍ରକଳ୍ପ କରୁଛି ଆନ୍ଧ୍ର। ଓଡ଼ିଶାର ଟିକରପଡାରେ ଡ୍ୟାମ ହୋଇ ଋଷିକୂଲ୍ୟା ପର୍ଯ୍ୟନ୍ତ ରିଭର ଲିଙ୍କ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ହୋଇ ଥିବା ବେଳେ ରାଜ୍ୟ ବିଜେପି ସରକାର କେନ୍ଦ୍ର ନିକଟରେ ୫୦ ହଜାର କୋଟି ଅର୍ଥ ଦାବି କରନ୍ତୁ । ଏହାଦ୍ୱାରା ଓଡିଶା ମଧ୍ୟ ଆନ୍ଧ୍ର ଭଳି ଲାଭ ପାଇପାରିବ ବୋଲି କୁହାଯାଇଛି।