ୟୁକ୍ରେନକୁ ଯୁଦ୍ଧ ସହାୟତା ଦେଲା ପୋଲାଣ୍ଡ; ଋଷ ବିରୋଧରେ ଲଢ଼େଇ ମିଗ୍ -୨୯ ବିମାନ

1 min read

କିଭ୍ : ଋଷ ବିରୋଧରେ ଲଢ଼ିବ ଋଷରେ ନିର୍ମିତ ଯୁଦ୍ଧ ବିମାନ । ଋଷ-ୟୁକ୍ରେନ ଯୁଦ୍ଧରେ ଋଷ ବିରୋଧରେ ଆକାଶରେ ଲଢ଼େଇ କରିବ ମିଗ୍ -୨୯ ବିମାନ । ୟୁକ୍ରେନକୁ ଯୁଦ୍ଧ ସହାୟତାର ହାତ ବଢ଼ାଇଛି ପୋଲାଣ୍ଡ । ପୋଲାଣ୍ଡ ୟୁକ୍ରେନକୁ ମିଗ-୨୯ ଯୁଦ୍ଧ ବିମାନ ଯୋଗାଇବ ବୋଲି ଘୋଷଣା କରିଛି ।

ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା କହିଛନ୍ତି ଆଗାମୀ କିଛି ଦିନ ମଧ୍ୟରେ ସୋଭିଏତ ଋଷ ଦ୍ୱାରା ନିର୍ମିତ ମିଗ୍ -୨୯ ଯୁଦ୍ଧ ବିମାନକୁ ୟୁକ୍ରେନକୁ ଦିଆଯିବ । ବଡ଼କଥା ଯେ, ଏହି ମିଗ୍ -୨୯ ଯୁଦ୍ଧ ବିମାନ ୧୯୭୦ ଦଶକରେ ସୋଭିଏତ୍ ୟୁନିଅନରେ ତିଆରି ହୋଇଥିଲା ଏବଂ ବର୍ତ୍ତମାନ ଏହା ଋଷ ବିରୁଦ୍ଧରେ ଲଢ଼ିବ । ପୋଲାଣ୍ଡ ୟୁକ୍ରେନକୁ ୧୧ରୁ ୧୯ଟି ମିଗ-୨୯ ଯୁଦ୍ଧ ବିମାନ ଦେଇପାରେ ବୋଲି ଡୁଡା କହିଛନ୍ତି ।

ୟୁକ୍ରେନକୁ ମିଗ ଯୁଦ୍ଧବିମାନ ଯୋଗାଇବା ପାଇଁ ଅନ୍ୟ କେତେକ ଦେଶ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପୋଲାଣ୍ଡ ସରକାରଙ୍କ ମୁଖପାତ୍ର ପିଓତ୍ର ମ୍ୟୁଲର କହିଛନ୍ତି । ତେବେ ପୋଲାଣ୍ଡ ବ୍ୟତୀତ ଅନ୍ୟ କେଉଁ କେଉଁ ଦେଶ ଯୁଦ୍ଧ ବିମାନ ଯୋଗାଇବେ ତାହା ଜଣାପଡିନାହିଁ । ପୋଲାଣ୍ଡ ପୂର୍ବରୁ ୟୁକ୍ରେନକୁ ଜର୍ମାନ ନିର୍ମିତ ଲେପର୍ଡ-୨ ଟ୍ୟାଙ୍କ ମଧ୍ୟ ଯୋଗାଇଥିଲା ।