ବିଶ୍ୱକୁ ଏମିତି ଚମକାଇଥିଲା ଭାରତ, ଜାଣନ୍ତୁ ୨୪ ବର୍ଷର ତଳର ଇତିହାସ…

1 min read
Pokhran When India fooled the CIA and successfully conducted its nuclear test

ଭୁବନେଶ୍ୱର: ୧୧ ମେ’୧୯୯୮ । ଆଜିର ଦିନ ସବୁ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଆଜିର ଦିନରେ ଭାରତ ଆମେରିକା ସମେତ ସାରା ବିଶ୍ୱକୁ ଚକମା ଦେଇ ରଚିଥିଲା ଇତିହାସ । ଭାରତର ଏହି ପଦକ୍ଷେପ ଶତ୍ରୁଙ୍କ ନିଦ ହଜାଇ ଦେଇଥିଲା । ମିଲିୟନ ମିଲିୟନ ଡଲାର ଖର୍ଚ୍ଚ କରି ଭାରତକୁ ଅଟକାଇବାକୁ ଚେଷ୍ଟା କରୁଥିବା ଆମେରିକା ଆଖି ଆଗରେ ଭାରତ ପୋଖରାଣରେ ଫୁଟାଇଥିଲା ପରମାଣୁ ବୋମା । ବିଶ୍ୱ ସମୁଦାୟ କିଛି ବୁଝିବା ଆଗରୁ ପୋଖରାନ ମରୁଭୂମିରେ ହୋଇଥିଲା ଏକ ଭୟଙ୍କର ବିସ୍ଫୋରଣ । ବାଲି ଝଡ଼ର ଏମିତି ବବଣ୍ଡର ଉଠିଥିଲା ଯେମିତି ପୂରା ମରୁଭୁମି ସବୁ କିଛି ଛାରଖାର କରିଦେବ । ସେଦିନ ସେହି ଝଡ଼ ଥମିବା ପରେ ବିଶ୍ୱ ଦେଖିଥିଲା ଭାରତର ପରାକ୍ରମ । କେହି କିଛି ବୁଝିବା ଆଗରୁ ଭାରତମାତା ହୋଇ ସାରିଥିଲା ପରମାଣୁ ସମ୍ପନ୍ନ ରାଷ୍ଟ୍ର ।

କେବଳ ମେ ୧୧ ନୁହେଁ ମେ’୧୩ରେ ବି ଭାରତ ପୁଣି ଫୁଟାଇ ଥିଲା ପରମାଣୁ ବୋମା । ଏହି ଦୁଇଟି ଦିନରେ ଭାରତ ଗୋଟିଏ ପରେ ଗୋଟିଏ କରି ୫ଟି ପରମାଣୁ ବୋମା ଫୁଟାଇ ସାରା ବିଶ୍ୱକୁ ଚକିତ କରିଦେବା ସହ ନିଜକୁ ଅନ୍ୟତମ ବିଶ୍ୱ ଶକ୍ତି ଭାବେ ଉପସ୍ଥାପନ କରି ପାରିଥିଲା । ପରମାଣୁ ପରୀକ୍ଷାର ପର ବର୍ଷ ୧୯୯୯ ଠାରୁ ଭାରତ ଏହି ଦିନକୁ ‘ରିର୍ସଜେଣ୍ଟ ଇଣ୍ଡିଆ ଡେ’ ଭାବେ ପାଳନ କରି ଆସୁଛି ।

Pokhran When India fooled the CIA and successfully conducted its nuclear test

ଆମେରିକା ସମେତ ଭାରତର ସମସ୍ତ ଶତ୍ରୁରାଷ୍ଟ୍ର ଭାରତ ବିରୋଧରେ ଏକାଠି ହୋଇଥିଲେ । ଏପରିକି ଆମେରିକାର ଗୁଇନ୍ଦା ସଂସ୍ଥା CIA ଭାରତର ପ୍ରତିଟି ଗତିବିଧି ଉପରେ ନଜର ରଖୁଥିଲା । କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରି ପୋଖରାନ ଉପରେ ନଜର ରଖିବାକୁ ୪ଟି ସାଟେଲାଇଟ୍ ଲଗାଇ ଥିଲା । ଏହା ଏମିତି ସାଟେଲାଇଟ୍ ଥିଲା ଯାହା ପୋଖରାନରେ ଛିଡ଼ା ହୋଇଥିବା ଭାରତୀୟ ସୈନିକଙ୍କ ଘଡ଼ିର ସମୟ ମଧ୍ୟ ଦେଖିବାକୁ ସକ୍ଷମ ଥିଲା । ହେଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଠୋର ନିଷ୍ପତ୍ତି ଓ ଭାରତୀୟ ବୈଜ୍ଞାନକ CIA ଓ ତାଙ୍କ ସାଟେଲାଇଟ ଆଖିରେ ଧୂଳି ଦେଇ ପରମାଣୁ ବୋମା ଫୁଟାଇ ଦେଇଥିଲେ ।

କେମିତି ହୋଇଥିଲା ପରୀକ୍ଷା ?

୧୯୯୮ ମେ’୧୧ରେ ଭାରତ ପ୍ରଥମ ପରମାଣୁ ବୋମା ଫୁଟାଇ ନଥିଲା । ଏହାର ୨୪ ବର୍ଷ ପୂର୍ବରୁ ଭାରତ ପରମାଣୁ ବୋମା ସମ୍ପନ୍ନ ରାଷ୍ଟ୍ର ହୋଇ ସାରିଥିଲା । ୧୯୭୪ ମେ’ ୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ସେହି ପୋଖରାନରେ ଭାରତ ପ୍ରଥମ ପରମାଣୁ ବୋମା ପରୀକ୍ଷା କରିଥିଲା । ସେତେବେଳେ ପରୀକ୍ଷା ପାଇଁ ଖୋଳା ଯାଇଥିବା ବିରାଟ ବିରାଟ ଗାତ ପୋଖରାନ ବାଲିରେ ଥିଲା । ଯେଉଁଥିରେ ପରମାଣୁ ବୋମା ରଖା ଯାଇଥିଲା । ପରେ କୂଅ ଗୁଡ଼ିକୁ ବାଲି ଭର୍ତ୍ତି କରି ପୋତି ଦିଆଯାଇଥିଲା । କୂଅ ଉପରେ ପାହାଡ଼ ଭଳି ବାଲି ଗଦା କରାଯାଇଥିଲା । ଏହାପରେ ଫୁଟିଥିଲା ଭାରତର ସେହି ପରମାଣୁ ବୋମା ।

୨୦ ଜଣିଆ ବୈଜ୍ଞାନିକ ଟିମ୍ ପୂରା ପ୍ରକ୍ରିୟା ଉପରେ ନଜର ରଖିଥିଲେ । ବିସ୍ଫୋରଣ ପରେ ପୋଖରାନରେ ଏକ ବାଲି ଝଡ଼ ଉଠିଥିଲା । ଯାହା ସେଠାରେ ଥିବା ସବୁକିଛି ଉଡ଼ାଇ ନେଇଥିଲା । ଝଡ଼ ଥମିବା ପରେ ବିସ୍ଫୋରଣ ସ୍ଥାନରେ ଏକ ବିରାଟ ଗାତ ଦେଖିବାକୁ ମିଳିଥିଲା, ଯାହା ଆଜି ବି ରହିଛି ।

Pokhran When India fooled the CIA and successfully conducted its nuclear test

ଭାରତୀୟ ସେନାର ୫୮ ରେଜିମେଣ୍ଟକୁ ପୋଖରାନ ପରୀକ୍ଷା କାମ ଦିଆଯାଇଥିଲା । ଏହି ରେଜିମେଣ୍ଟର କମାଣ୍ଡାଣ୍ଟ ଥିଲେ କର୍ଣ୍ଣଲ ଗୋପାଲ କୌଶିକ । ପୂରା ମିଶନକୁ ଗୁପ୍ତ ଭାବେ ବିଶ୍ୱବାସୀଙ୍କ ନଜର ଆଡ଼ୁଆଳରେ କରାଯିବାକୁ ଦୃଢ଼ ନିର୍ଦ୍ଦେଶ ରହିଥିଲା । ବୈଜ୍ଞାନିକମାନେ ନିଜ ଭିତରେ କୋଡ୍ ୱାର୍ଡରେ କଥା ହେଉଥିଲେ । ଏପରିକି ସେମାନେ ପରସ୍ପରକୁ ମିଛ ନାଁରେ ଡାକୁଥିଲେ । CIA ଆଖିରେ ଧୂଳି ଦେବାକୁ ବୈଜ୍ଞାନିକମାନେ ସେନା ଡ୍ରେସରେ ପୋଖରାନକୁ ଯାଉଥିଲେ । ମିଶନ ପୂରା କରିବାକୁ ୧୮ ମାସ ସମୟ ଲାଗିଥିଲା । ପରୀକ୍ଷାକୁ ଗୁପ୍ତା ରଖିବାକୁ ରାତିରେ ହିଁ କାମ କରାଯାଉଥିଲା । ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦ୍ଦୁଲ କଲାମ ଏବଂ ତତ୍କାଳୀନ ଶକ୍ତି ବିଭାଗ ଅଧ୍ୟକ୍ଷ ଆର ଚିନ୍ଦାବରମ୍ ଏହି ମିଶନରେ ସାମିଲ୍ ଥିବା ଭାରତର ଦୁଇ ବଡ଼ ବୈଜ୍ଞାନିକ ଥିଲେ । ପୂରା ମିଶନରେ ୮୦ ଜଣ ବୈଜ୍ଞାନିକ ନିୟୋଜିତ ହୋଇଥିଲେ । ଏମାନେ DRDO ଓ ପରମାଣୁ ଉର୍ଜା ଆୟୋଗ ସହ ଜଡ଼ିତ ଥିଲେ ।

ପୋଖରାନ ପରୀକ୍ଷଣ ପରେ ପୂରା ଭାରତ ଖୁସି ମନାଇଥିବା ବେଳେ ବିଶ୍ୱର ଅନ୍ୟ ଦେଶମାନେ ଭାରତକୁ ବହୁତ କଟୁ ସମାଲୋଚନା କରିଥିଲେ । ଆମେରିକା, ଜାପାନ, ଫ୍ରାନ୍ସ, ବ୍ରିଟେନ୍ ସହ ପ୍ରାୟ ସବୁ ବିକଶିତ ଦେଶ ଭାରତ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହେଲେ ଇସ୍ରାଏଲ ଏକମାତ୍ର ଦେଶ ଥିଲା ଯିଏ ଭାରତର ପରମାଣୁ ବୋମା ପରୀକ୍ଷାକୁ ସମର୍ଥନ କରିଥିଲା ।