ନରେନ୍ଦ୍ର ଏବଂ ଚିତ୍ତରଞ୍ଜନ ପାଇବେ ‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’

ବାଲେଶ୍ବର/ଭଦ୍ରକ: ୨୦୨୨ ଓ ୨୦୨୩ ବର୍ଷ ପାଇଁ ‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’ ଘୋଷଣା କରାଯାଇଛି । ୨୦୨୨ ବର୍ଷ ପାଇଁ କବି ନରେନ୍ଦ୍ର ଭୋଇ ଏବଂ ୨୦୨୩ ବର୍ଷ ପାଇଁ କବି ଚିତ୍ତରଞ୍ଜନ ନାୟକ ହେବେ ପୁରସ୍କୃତ ।

କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ସଭାପତି ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗତକାଲି ଭଦ୍ରକରେ ଅନୁଷ୍ଠିତ ବୈଠକରେ ଏହା ଘୋଷଣା କରାଯାଇଛି । ୨୦୨୨ରେ ଉତ୍ସବ ହୋଇ ପାରି ନଥିବାରୁ ଚଳିତବର୍ଷକୁ ମିଶାଇ ଦୁଇବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ । ଏନେଇ ସଂସଦ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଘୋଷଣା କରିଛନ୍ତି ।

ଭଦ୍ରକରେ ଅନୁଷ୍ଠିତ ବୈଠକରେ ଗାଳ୍ପିକ ରଜନୀକାନ୍ତ ମହାନ୍ତି, କବି କିଶୋର ପାଣିଗ୍ରାହୀ ଏବଂ ଅରୁଣ ଖିଲାର ପ୍ରମୁଖ ଉପସ୍ଥିତରେ ବିଚାରକଙ୍କ ମତକୁ ଭିତ୍ତି କରି ଯୋଗ୍ୟ କବିଙ୍କ ନାଁ ଘୋଷଣା କରାଯାଇଛି । ନଭେମ୍ବର ୫ ତାରିଖରେ ଭଦ୍ରକ ସଂସ୍କୃତି ଭବନରେ ଅନୁଷ୍ଠିତ ହେବାକୁ ଥ‌ିବା ୩୭ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ ଉତ୍ସବରେ ଉଭୟଙ୍କୁ ଅର୍ଥରାଶି ଓ ମାନପତ୍ର ଦେଇ ସମ୍ମାନିତ କରାଯିବ ।

ଉଭୟ ଓଡ଼ିଆ ଯୁବ କବି ଭାବେ ବେଶ ପରିଚିତ ନାମ । ଓଡ଼ିଆ କବିତାରେ ଏମାନେ ନିଜସ୍ୱ ସ୍ଵର ଓ ସ୍ଵାକ୍ଷର ଛାଡିଛନ୍ତି । ବୌଦ୍ଧ ଜିଲ୍ଲାରେ ଜନ୍ମିତ ନରେନ୍ଦ୍ରଙ୍କ ୩ଟି କବିତା ପୁସ୍ତକ ଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଜନ୍ମିତ ଚିତ୍ତରଞ୍ଜନ ୪ଟି କବିତା ପୁସ୍ତକର ସ୍ରଷ୍ଟା ।

ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଯୁବ କବିଙ୍କୁ ବିଚାରକ ମଣ୍ଡଳୀଙ୍କ ମନୋନୟନ ପ୍ରକ୍ରିୟା ଅନୁସାରେ ସମ୍ମାନିତ କରାଯାଇଥାଏ । ଏହି ଧାରା ଗତ ୩୦ ବର୍ଷ ହେବ ଜାଲି ଆସିଛି । ଏହି ସମ୍ମାନରେ ସମ୍ମାନିତ ହୋଇଥିବା କିଛି କବି ଓ ଲେଖକ ଏଥିରେ ବିଚାରକ ଭାବେ ରହିଥାନ୍ତି । ପୁରସ୍କାର ପ୍ରଦାନ ଉତ୍ସବରେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ, କବି ଆଶୁତୋଷ ପରିଡ଼ା, ବାସୁଦେବ ସୁନାନୀ ଏବଂ ଅଧ୍ୟାପକ ଦତ୍ତାତ୍ରେୟ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।