ଧାନ ଉପରେ ବୋନସ୍‌ ଦେଲେ ବିଗୁଡ଼ୁଛି ବଜାର

1 min read

ନନ୍ଦିଘୋଷ ବ୍ୟୁରୋ: ଧାନର ଏମ୍‌ଏସ୍‌ପି ବଢୁ ବୋନସ୍‌ ନୁହେଁ । ଖୋଦ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟ ବୋନସ ବ୍ୟବସ୍ଥାକୁ ନାପସନ୍ଦ କରୁଛି । ରାଜ୍ୟ ସରକାରଙ୍କ ବୋନସ୍‌ ବ୍ୟବସ୍ଥା ବଜାରରେ ଅସ୍ଥିରତା ସୃଷ୍ଟି କରୁଛି । ହେଲେ ରାଜ୍ୟରେ ଥିବା ଡବଲ୍‌ ଇଞ୍ଜିନ ସରକାର ଧାନ କିଣା ଉପରେ ୮୦୦ଟଙ୍କା ବୋନସ୍‌ ଭଳି ଦେବାକୁ ବଜେଟ୍‌ ବ୍ୟୟ ବରାଦ କରିଛନ୍ତି । ଚାଷୀ ଅଧିକ ଅର୍ଥ ପାଉ ସମସ୍ତେ ଚାହାଁନ୍ତି । ହେଲେ ବୋନସ୍‌କୁ ନେଇ କେନ୍ଦ୍ର ଗୋଟିଏ ନୀତି ଆପଣାଇଥିବାବେଳେ ରାଜ୍ୟ ସରକାରଙ୍କ ବୋନସ୍‌ ବ୍ୟବସ୍ଥା ଚାଷୀଙ୍କୁ ସ୍ଥାୟୀ ଉପକାର କରିବ କି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ଧାନ ଉପରେ ବୋନସ୍‌ ଦେଲେ ବିଗୁଡ଼ୁଛି ବଜାର। ସ୍ଥାୟୀ ଭାବେ ଏଇ ଅର୍ଥ ଚାଷୀର ଅଭାବ ପୂରଣ କରୁନି । ଯେଉଁ ରାଜ୍ୟ ଏମ୍‌ଏସ୍‌ପି ଉପରେ ବୋନସ୍‌ ଦେଉଛନ୍ତି ଧୀରେ ଧୀରେ ସେମାନେ ଏବେ ଅର୍ଥ ହ୍ରାସ କରିବାରେ ଲାଗିଲେଣି। ଆର୍ଥିକ ଦୃଷ୍ଟିରୁ ଏପରି ବ୍ୟବସ୍ଥା ଠିକ୍‌ ନୁହଁ। ଖୋଦ କେନ୍ଦ୍ର କୃଷି ମନ୍ତ୍ରାଳୟର କମିସନ ଫର୍‌ ଏଗ୍ରିକଲ୍‌ଚରାଲ କଷ୍ଟ୍‌ ଆଣ୍ଡ୍‌ ପ୍ରାଇସ ବା CACP ଏଭଳି ରିପୋର୍ଟ ଦେଇଛି। ହେଲେ ରାଜ୍ୟରେ ଥିବା ବିଜେପି ସରକାର ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ବୋନସ୍‌ ଦେବାକୁ ବଜେଟ୍‌ରେ ବ୍ୟୟବରାଦ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମୃଦ୍ଧ କୃଷକ ଯୋଜନା ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫ ହଜାର କୋଟି । ବୋନସ୍‌କୁ ନେଇ କିଏ ଠିକ୍‌?  କେନ୍ଦ୍ର ନା ରାଜ୍ୟ ସରକାର? ଚାଷୀ ପରିଶ୍ରମ କରୁଛି। ଅଥଚ ତାର ଉଚିତ ମୂଲ ପାଉନି । ଧାନର ଏମ୍‌ଏସ୍‌ପି ବଢୁଛି। ହେଲେ ସେ ଅର୍ଥ ତାର ଅଭାବ ପୂରଣ କରୁନି। ଅତୀତରେ ଓଡ଼ିଶା ସରକାର ଚାଷୀଙ୍କୁ ବୋନସ୍‌ ଦେବାକୁ ଘୋଷଣା କରିବା ପରେ କେନ୍ଦ୍ର ସରକାର ରାଜ୍ୟକୁ ଚିଠି ଲେଖି ମନାକଲେ। ସିଧାସଳଖ ଏଫ୍‌ସିଆଇ ଧାନ ସଂଗ୍ରହ କରିବନି ବୋଲି ରୋକ୍‌ଠୋକ୍‌ ମନାକରିଦେଇଥିଲା। ଛତିଶଗଡ଼ରେ ଥିବା ବିଜେପି ସରକାର ଧାନ ଉପରେ ବୋନସ୍‌ ନିର୍ଦ୍ଦିଷ୍ଟ ପରିମାଣ ଉପରେ ଦେଉଛନ୍ତି । ନିକଟରେ ଅର୍ଥବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ବଜେଟ୍‌ ଆଗତ କରିଛନ୍ତି। ବୋନସ୍‌ର ସ୍ଥାୟିତ୍ବ ଓ କେନ୍ଦ୍ର ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଦାବି କରିଛି।

କଂଗ୍ରେସ ଅଭିଯୋଗ କରିଛି, ରାଜ୍ୟ ସରକାରଙ୍କ ବୋନସ୍‌ ଦେବା ବ୍ୟବସ୍ଥା ଚାଷୀଙ୍କୁ ତୁଷ୍ଟିକରଣ କରିବାକୁ ଉଦ୍ଦିଷ୍ଟ। ଏଥିରେ ଚାଷୀର ଅଭାବ ଦୂର ହେବନି। କଂଗ୍ରେସ ପ୍ରଥମରୁ ଦାବି କରିଆସିଛି ଏମ୍‌ଏସ୍‌ପି ବୃଦ୍ଧି କରିବା ପାଇଁ । ହେଲେ କେନ୍ଦ୍ର ସରକାର ଅଣଦେଖା କରିଚାଲିଛନ୍ତି। ଅତୀତରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନର ଏମ୍‌ଏସ୍‌ପି ତତ୍କାଳୀନ ଉତ୍ପାଦନ ଖର୍ଚ୍ଚକୁ ବିଚାର କରି ୨୯୩୦ ଟଙ୍କା କରିବାକୁ ସଂକଳ୍ପ ପାରିତ ହୋଇଥିଲା । ଏବର ରାଜ୍ୟ କୃଷି ମନ୍ତ୍ରୀ ସେତେବେଳେ ବି ଗୃହର ସଦସ୍ୟ ଥାଇ ସଂକଳ୍ପ କରିଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ଦାବିର ଭାଗ୍ୟ କଣ ହେଲା ସମସ୍ତେ ଜାଣନ୍ତି। ବାସ୍ତବରେ ସ୍ବାମୀନାଥନ୍‌ କମିଟି ସୁପାରିଶ ଆଧାରରେ ଏମ୍ଏସ୍‌ପି ବୃଦ୍ଧି ହେଉନି। କେନ୍ଦ୍ର ସରକାରଙ୍କ CACPଙ୍କ ସୁପାରିଶ ଆଧାରରେ ଏମ୍‌ଏସ୍‌ପି ଧାର୍ଯ୍ୟ ହୋଇଥାଏ । ଏବେ ଯେତେବେଳେ ବୋନସ୍‌କୁ ନେଇ CACP ମନା କରୁଛନ୍ତି ସେତେବେଳେ ବୋନସ୍‌ ଦେଇ ଚାଷୀଙ୍କୁ ସରକାରଙ୍କ ଦୟା ଉପରେ ନିର୍ଭର କରିବାକୁ ଦିଆ ନଯାଉ। ଏମ୍‌ଏସ୍‌ପି ବୃଦ୍ଧି କରିବା ସହିତ ଆଇନଗତ ମାନ୍ୟତା ଦିଆଯାଉ।