୨ଟି ସ୍ଥାନରେ ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ

ନନ୍ଦିଘୋଷ ବ୍ୟୁରୋ: ସାମାନ୍ୟ ଅସାବଧାନତାରୁ କ୍ଷେତରେ ଜଳିଗଲା ପାଚିଲା ଧାନ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ନାମ୍ପୋ, ବାଣିଦା ଓ ଓଲାଲପୁର ମୌଜାର ପ୍ରାୟ ୨୦ ଏକର ପାଚିଲା ଧାନ କ୍ଷେତରେ ନିଆଁ ଲାଗି ସମ୍ପୂର୍ଣ୍ଣ ଧାନ ପୋଡି ନଷ୍ଟ ହେଇଯାଇଛି । ଅଲାଲପୁର ଗ୍ରାମର ଜଣେ ଚାଷୀ ତାଙ୍କ କ୍ଷେତରୁ ଧାନ ଅମଳ ପରେ ନଡାରେ ନିଆଁ ଲଗାଇଥିବା ବେଳେ ପବନରେ ଉଡ଼ି ପାଖ ଜମିରେ ପଡ଼ିଥିଲା । ଫଳରେ ପାଚିଲା ଧାନ କ୍ଷେତରେ ଲାଗିଯାଇଥିଲା ନିଆଁ । ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ବର୍ଷଯାକର ଫସଲ ଜଳିଯାଇଥିବାରୁ ଚିନ୍ତାରେ ଚାଷୀ ।

ଜମିରେ ଲାଗିଲା ନିଆଁ । ବହୁ ପରିମାଣର ଧାନ ପୋଡ଼ି ନଷ୍ଟ । ଅମଳ ପୂର୍ବରୁ ନିଆଁ ଲାଗି ପ୍ରାୟ ୩୦ ଏକର ଜମିରେ ଧାନ ପୋଡ଼ି ନଷ୍ଟ ହୋଇଯାଇଛି । ପାରଳାଖେମୁଣ୍ଡି ସୀତାସାଗର ହିଡ଼ ନିକଟସ୍ଥ ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଜମିରେ ଅଗ୍ନିକାଣ୍ଡ ଘଟିଛି । କ୍ଷୟକ୍ଷତିର ପରିମାଣ ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ । ଏ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳେକୁ ପ୍ରାୟ ୩୦ ଏକର ଜମିରେ ନିଆଁ ବ୍ୟାପି ଧାନ ପୋଡ଼ି ଯାଇଥିଲା।