ନନ୍ଦିଘୋଷ ବ୍ୟୁରୋ: ସଂସଦରେ ନିର୍ବାଚନ ମଣ୍ଡଳୀ ପ୍ରସଙ୍ଗରେ ହେଉ ଆଲୋଚନା। ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିବା ଓ ଯୁବ ସାଂସଦମାନଙ୍କୁ ଆଲୋଚନା କରିବା ଲାଗି ସୁଯୋଗ ଦିଆଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ଶୀତ ଅଧିବେଶନରେ ଉଦବୋଧନ ଦେଇ ମୋଦି କହିଛନ୍ତି- ନବନିର୍ବାଚିତ ଓ ଯୁବ ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ଯାକୁ ନ ଉଠାଇପାରି ଅସନ୍ତୁଷ୍ଟ ହେଉଛନ୍ତି। ସେମାନଙ୍କୁ ପର୍ଯ୍ଯପ୍ତ ସୁଯୋଗ ଦେବାର ଆବଶ୍ଯକତା ରହିଛି। ଗୃହର ସ୍ବାର୍ଥ ଦୃଷ୍ଟିରୁ ନୂଆ ପିଢ଼ିର ସାଂସଦ, ପ୍ରଥର ଥର ଲାଗି ନିର୍ବାଚିତ ହୋଇଥିବା ସାଂସଦ, ପ୍ରତି ଦଳକୁ ସୁଯୋଗ ଦେବା ଉଚିତ। ସଂସଦରେ ନାରାବାଜି କରି ଗୃହକାର୍ଯ୍ୟରେ ବାଧା ସୃଷ୍ଟିକୁ ନାପସନ୍ଦ କରିଛନ୍ତି ମୋଦି। ଡ୍ରାମାବାଜି ଗୃହ ଭିତରେ ନ କରିବା ଲାଗି ସେ ଆହ୍ବାନ ଦେବା ସହ ଡ୍ରାମାବାଜି ଲାଗି ବାହାରେ ଅନେକ ସ୍ଥାନ ରହିଛି ବୋଲି ସେ କହିଛନ୍ତି।
ସଂସଦ ସ୍ଲୋଗାନବାଜିର ସ୍ଥାନ ନୁହେଁ, ସମସ୍ତଙ୍କୁ ନୀତି ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଗଠନମୂଳକ ଆଲୋଚନା ଲାଗି ସେ ଆହ୍ବାନ ଦେବା ସହ ସମସ୍ତ ଦଳ ସକରାତ୍ମକ ମନୋଭାବ ପୋଷଣ ଲାଗି ସେ କହିଥିଲେ। ସର୍ବସାଧାରଣଙ୍କ ସ୍ବାର୍ଥ ଲାଗି ବିରୋଧୀ ଦଳଗୁଡ଼ିକ ସଚେତନ ହେବା ସହ ପରାଜୟର ଗ୍ଲାନି ସଂସଦରେ ପ୍ରତିଫଳିତ କରିବା ଅନୁଚିତ ବୋଲି ସେ କହିଥିଲେ। ଜାତୀୟ ପ୍ରସଙ୍ଗଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଉପସ୍ଥାପନ କରିବା ଲାଗି ସେ ପରାମର୍ଶ ଦେଇଥିଲେ। ସାରା ବିଶ୍ବ ଭାରତର ଗଣତାନ୍ତ୍ରିକ ଶକ୍ତିକୁ କେବଳ ଉପଲବ୍ଧି କରୁନାହିଁ ବରଂ ଗଣତନ୍ତ୍ର ସହ ଭାରତର ସଶକ୍ତ ଅର୍ଥନୀତି ପ୍ରତି ଦୃଷ୍ଟି ନିବଦ୍ଧ କରୁଛି ବୋଲି ସେ କହିଥିଲେ।…

