ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ

1 min read

କଲମ୍ବୋ: ଶ୍ରୀଲଙ୍କା ସଙ୍କଟ ଭିତରେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ବିକ୍ରମସିଂଘେ । ଗତକାଲି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେଇଥିବା ବେଳେ ଆଜି ଏହାକୁ ବିଧିବଦ୍ଧ ଘୋଷଣା କରିଥିଲେ ବାଚସ୍ପତି ମହିନ୍ଦା ୟାପା ଆବେଓ୍ୱେରଦାନା । ଗୋଟାବାୟାଙ୍କ ଇସ୍ତଫା ପରେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ । ଶ୍ରୀଲଙ୍କା ପ୍ରଧାନ ବିଚାରପତି ଜୟନ୍ତ ଜୟସୁରିୟା ରାନିଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସେ ଅନ୍ତରୀଣ ରାଷ୍ଟ୍ରପତି ଦାୟିତ୍ୱରେ ରହିବେ । ଜୁଲାଇ ୨୦ରେ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ହେବ । ଆସନ୍ତାକାଲି ସଂସଦ ଭବନରେ ଏ ନେଇ ସର୍ବଦଳୀୟ ବୈଠକ ବସିବ । ବାଚସ୍ପତିଙ୍କ ବୈଠକ ଡାକିଥିବା ବେଳେ ଆଗାମୀ ରାଷ୍ଟ୍ରପତିଙ୍କୁ ନେଇ ବହୁମତ ସଂଗ୍ରହ କରାଯିବ ବୋଲି କୁହାଯାଉଛି ।