ବିଟକଏନକୁ ମାନ୍ୟତା ଦେଲା ଭାରତ, ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ ହ୍ୟାକ କରି ହ୍ୟାକର ଲେଖିଲେ ଏମିତି…
1 min readନୂଆଦିଲ୍ଲୀ: ଭାରତରେ ଏବେ ବି ମାନ୍ୟ ନୁହେଁ ବିଟକଏନ୍ ଅଥବା ଅନ୍ୟ କୌଣସି କ୍ରିପ୍ଟୋକରେନ୍ସି । କିନ୍ତୁ ହ୍ୟାକର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରି ବିଟକଏନକୁ ନେଇ ଏମିତି ଟ୍ୱିଟ୍ କରିଛନ୍ତି ଯାହାକୁ ନେଇ ସୋସିଆଲ୍ ମିଡିଆ ରାତି ସାରା ଶୋଇନି । ତେବେ, ହ୍ୟାକର୍ସଙ୍କ କବଳରୁ ଟ୍ୱିଟର ଆକାଉଣ୍ଟ ଏବେ ସୁରକ୍ଷିତ ଥିବା ପିଏମ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଶନିବାର ବିଳମ୍ବିତ ରାତି ୨ଟା ୧୧ ମିନିଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକ କରି ଏକ ଟ୍ୱିଟ୍ କରାଯାଇଥିଲା । ଯେଉଁଥିରେ ହ୍ୟାକର ଦାବି କରିଥିଲେ, ଭାରତ ଔପଚାରିକ ଭାବେ ବିଟକଏନକୁ ଆଇନତଃ ମାନ୍ୟତା ପ୍ରଦାନ କରିଛି । ଏପରିକି ସରକାର ୫୦୦ ବିଟକଏନ ଲୋକଙ୍କୁ ବାଣ୍ଟୁଛନ୍ତି ।
ତେବେ ଏହି ଟ୍ୱିଟକୁ ୨ ମିନିଟ୍ ପରେ ହଟାଇ ଦିଆଯାଇଛି । ୨ଟା ୧୪ରେ ପୁଣି ଆଉ ଏକ ସମାନ ଟ୍ୱିଟ୍ ହୋଇଥିଲା । ପରେ ଉକ୍ତ ଟ୍ୱିଟକୁ ମଧ୍ୟ ହଟାଇ ଦିଆଯାଇଛି । ଏବେ ସୋସିଆଲ୍ ମିଡିଆରେ ଉକ୍ତ ଟ୍ୱିଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ପରେ ଲୋକ ସାଇବର ସୁରକ୍ଷା ନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି ।
The Twitter handle of PM @narendramodi was very briefly compromised. The matter was escalated to Twitter and the account has been immediately secured.
In the brief period that the account was compromised, any Tweet shared must be ignored.
— PMO India (@PMOIndia) December 11, 2021
ପ୍ରଧାନନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, ପିଏମ୍ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ ହୋଇଥିଲା । ଯାହାକୁ ତୁରନ୍ତ ଠିକ୍ କରି ନିଆଯାଇଛି । ଏନେଇ ଟ୍ୱିଟରକୁ ସୂଚନା ଦିଆଯାଇଛି । ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିବା ବେଳେ ଦିଆଯାଇଥିବା ସୂଚନାକୁ ଧ୍ୟାନ ଦିଅନ୍ତୁ ନାହିଁ ।