ବିହାର ନିର୍ବାଚନ: ରାଜନୈତିକ ମୈଦାନରେ ‘ଆତ୍ମନିର୍ଭର‘ ବିଜେପିକୁ ଛିଡା କରିବା ମୋଦିଙ୍କ ପାଇଁ ଚ୍ୟାଲେଂଜ୍

1 min read

ପାଟନା, ୨୦୧୪ ମସିହାରୁ ଦେଶ ନିର୍ବାଚନ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ନମ୍ବରୱାନ ବ୍ୟକ୍ତିତ୍ୱ ଭାବେ ଉଭା ହୋଇ ଆସିଛନ୍ତି । ଏହାର ୫ ବର୍ଷ ପରେ ହୋଇଥିବା ନିର୍ବାଚନରେ ମଧ୍ୟ ମୋଦି ନିଜ ସଫଳତା ଦୋହରାଇପାରିଥିଲେ । ସର୍ବଭାରତୀୟସ୍ତରରେ ତାଙ୍କ ନିର୍ବାଚନୀ ସଫଳତାକୁ ଦେଖିଲେ ବିରୋଧୀ ଏକପ୍ରକାର ପ୍ରଭାବହୀନ ମନେ ହୁଅନ୍ତି । ହେଲେ ୨୦୧୪ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ ପରେ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହିସବୁ ନିର୍ବାଚନରେ ମୁଖ୍ୟତଃ ମୋଦି ହିଁ ପ୍ରକାରନ୍ତରେ ପ୍ରଚାର ମଙ୍ଗ ଧରିଥିଲେ ।

 

ଦୁଇଥର ଲୋକ ସଭା ସଫଳତା ତୁଳନା ରେ ରାଜ୍ୟଗୁଡିକରେ ହୋଇଥିବା ନିର୍ବାଚନରେ ଭାଜପା ମିଶ୍ରିତ ଫଳ ପାଇଛି । ୨୦୧୪ରେ ମହାରାଷ୍ଟ୍ର,ହରିୟାଣା ପରେ ୨୦୧୨ରେ ୟୁପି ଏବଂ ୨୦୧୭ ଗୁଜରାଟ ନିର୍ବାଚନରେ ଭାଜପା ଆଶାତୀତ ସଫଳତା ପାଇଥିଲା । ଏହାକୁ ବାଦ ଦେଲେ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ବିରୋଧୀ ଦଳ ବିବାଦରୁ ଶାସନ ଅକ୍ତିଆର କରିବାରେ ସକ୍ଷମ ହୋଇଛି । ମହାରାଷ୍ଟ୍ରରେ ବର୍ତ୍ତମାନ ଦଳ କ୍ଷମତାରେ ନାହିଁ । ଦିଲ୍ଲୀ କ୍ଷମତା ଅଳିନ୍ଦରୁ ମଧ୍ୟ ରାଜ୍ୟ ଦୂରରେ ରହିଛି । ହରିୟାଣାରେ ବର୍ତ୍ତମାନ ଭାଗୁଆଳି ଶାସନ ଚାଲିଛି । ୨୦୧୫ ବିହାର ନିର୍ବାଚନରେ ବିଜେପି ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ପରେ ନୀତିଶଙ୍କୁ ନିଜ ପକ୍ଷକୁ ଆଣି କୌଣସିମତେ ସରକାରରେ ରହିଥିଲା । ତେଣୁ ବର୍ତ୍ତମାନ ମଧ୍ୟପ୍ରଦେଶ,ୟୁପି,କର୍ନାଟକ, ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ,ମଣିପୁର ଏବଂ  ଗୋଆ ଭଳି ଅନ୍ୟ କେତେକ କ୍ଷୁଦ୍ର ରାଜ୍ୟରେ ଶାସନରେ ରହିଛି । ଆଶ୍ଚର୍ଯ୍ୟର କଥା ଏହି କି ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ ପରେ ରାଜସ୍ଥାନ, ଛତିଶଗଡ,ଝାଡଖଣ୍ଡ,ମହାରାଷ୍ଟ୍ର, ଦିଲ୍ଲୀ ଭଳି ରାଜ୍ୟରୁ ଭାଜପା କ୍ଷମତା ହରାଇଛି । ଏହି ସମୟରେ କେରଳ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଦଳ କେବେବି କ୍ଷମତାର ସ୍ୱାଦ ଚାଖିନି ।

ଆଞ୍ଚଳିକ ଦଳର ପ୍ରଚଣ୍ଡ ପ୍ରଭାବ ଥିବା ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁରେ ମଧ୍ୟ ଭାଜପା ପ୍ରଦର୍ଶନ ଏତେଟା ଉତ୍ସାହଜନକ ନୁହେଁ । ହେଲେ ତେଲେଙ୍ଗାନା, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇପାରିଛି । ତେଣୁ ନରେନ୍ଦ୍ର ମୋଦି କେବଳ ଲୋକ ସଭା ନୁହେଁ ରାଜ୍ୟଗୁଡିକରେ ମଧ୍ୟ ପ୍ରଭାବଶାଳୀ, ସେ କଥା ପ୍ରମାଣିତ କରିବାର ସମୟ ଆସିଛି । ନିକଟ ଭବିଷ୍ୟତରେ ବିହାରରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ୨୦୦୫ରୁ ଏଯାବତ(୨ ବର୍ଷକୁ) ବାଦ୍ ଦେଇ ଭାଜପା ଜେଡିୟୁ ସହ ଶାସନ କ୍ଷମତାରେ ରହିଛି । ହେଲେ ନିଜସ୍ୱ ଚେହେରା ନ ଥିବାରୁ ନୀତିଶଙ୍କ ଉପରେ ନିର୍ଭରଶୀଳ ହୋଇପଡିଛି । କୌଣସିମତେ ନୀତିଶଙ୍କ ଉପରେ ଅଧିକ ନିର୍ଭର ନ କରି ଶାସନ ଅକ୍ତିଆର କରିବାର ଇଚ୍ଛା ଥିଲେ ବି ଗୈରିକ ଦଳ ପାଇଁ ଏହା ସମ୍ଭବ ହେଉନାହିଁ । ତେଣୁ ବିହାର ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ଚଳିତବର୍ଷ ପ୍ରାରମ୍ଭରୁ ମୋଦିଙ୍କ ଅଭିଭାଷଣ, କେତେକ ଫଟୋ ଏବଂ ଉଦଘାଟନ ଇତ୍ୟାଦିର ଫଟୋରୁ ଏହା ସ୍ପଷ୍ଟ ବାରିହୋଇ ପଡୁଛି । ଚଳିତବର୍ଷ ଫେବୃୟାରୀ ତୃତୀୟ ସପ୍ତାହରେ ନରେନ୍ଦ୍ର ମୋଦି ଦିଲ୍ଲୀର ହୁନର ହାଟରେ ଲିଟି ଚୋଖା ଖାଇଥିଲେ । ଏହାର ଏକ ଫଟୋ ସୋସିଆଲ ମିଡିଆ ଏବଂ ଜାତୀୟ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏଥିରୁ ସ୍ପଷ୍ଟ ସଙ୍କେତ ଥିଲା ଯେ, ଭାଜପା ବିହାର ନିର୍ବାଚନକୁ କେତେ ଗୁରୁତର ସହ ନେଉଛି । ରାମମନ୍ଦିର ଶିଳାନ୍ୟାସ ସମୟରେ ମିଥିଲା ଅଞ୍ଚଳରେ କୁହାଯାଉଥିବା ଜୟସୀୟାରାମକୁ ଉଚ୍ଚାରଣ କରିଥିଲେ । ଏପରିକି ଚୀନ ସୈନ୍ୟ ସହ ସଂଘର୍ଷରେ ପ୍ରାଣ ହରାଇଥିବା ବିହାର ଶହୀଦ ଏବଂ ପରିବାର ପ୍ରତି ସାମାନ୍ୟ ଭିନ୍ନ ଏବଂ ଭାବପ୍ରବଣତାର ସହ ସମ୍ବେଦନଶୀଳତା ଜଣାଇଥିଲେ । ଇତି ମଧ୍ୟରେ ମୋଦି ୪ ଥର ଭର୍ଚୁଆଲ ଅଭିଭାଷଣ ବିହାର ଜନତାଙ୍କୁ ଦେଇସାରିଲେି । ଏହି ମାସରେ ଆଉ ୨ଟି ରାଲି ମଧ୍ୟ ହେବାର ରହିଛି । ଦରଭଙ୍ଗାରେ ନୂଆକରି ଏମ୍ସ ଘୋଷଣା କରାଯାଇଛି । ଯେଉଁ ପ୍ରକଳ୍ପର ଲୋକର୍ପଣ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କରିବା କଥା ତାହା ପ୍ରଧାନମନ୍ତ୍ରୀ ନିଜେ କରୁଛନ୍ତି । ତେଣୁ ବିହାର ନିର୍ବାଚନ କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଜଣାପଡୁଛି । ନୀତିଶଙ୍କ ସହ ଅସହଜ ରାଜନୈତିକ ସମ୍ପର୍କ ଥିଲେ ବି ତାଙ୍କ ନେତୃତ୍ୱରେ ଲଢାଯିବା ନେଇ ଘୋଷଣା କରିସାରିଛନ୍ତି । ତେଣୁ କହିବାକୁ ଗଲେ ବିହାରରେ ବିଜେପି ରାଜନୈତିକ ଭାବେ ଆତ୍ମନିର୍ଭର ନୁହେଁ ।

ଏତେ ସବୁ ପରେ ଭାଜପା ପ୍ଲାନ-ବି କାର୍ଯ୍ୟ ମଧ୍ୟ କରୁଛି । କୌଣସି ମତେ ଅନୁସୂଚିତ ଜାତି ପ୍ରଭାବ ଥିବା ଏଲ୍ ଜେ ପିକୁ ପ୍ରଭାବିତ କରି ତାକୁ ଅଲଗା ଲଢାଇବାକୁ ଚେଷ୍ଟା କରିଛି । ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ ଭାଙ୍ଗିବା ପରେ ସହଯୋଗୀ ଦଳ ଯେପରି ଅତ୍ୟନ୍ତ ଭଲ ପରିସ୍ଥିତିରେ ନ ରୁହେ, ତାହା ଭାଜପା ଚାହୁଁଛି । ତେଣୁ ଏଲଜେପିକୁ ନେଇ ଖେଳାଯାଉଥିବା ବାଜି କିପରି କାର୍ଯ୍ୟ କରୁଛି । ତାହା ଉପରେ ସମସ୍ତଙ୍କ ନଜର ରହିବ ।

ବିରୋଧୀ ଦଳ ଏକଜୁଟ ନ ଥିବାରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ହିଁ ନିର୍ବାଚନର ଫେବରାଇଟ ବୋଲି କୁହାଯାଉଛି । କରୋନା ମହାମାରୀ, ଲକ ଡାଉନ, ଜିଡିପି ହ୍ରାସ, ଶ୍ରମିକ ସମସ୍ୟା ବର୍ତ୍ତମାନ ପ୍ରମୁଖ ସାମାଜିକ ସମସ୍ୟା ପାଲଟିଛି । ତେଣୁ ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ପାଇଁ ଏକ ପ୍ରକାର ରାଜନୈତିକ ରେଫରେଣ୍ଡମ କହିଲେ ଅତ୍ୟୁକ୍ତି ହେବ ନାହିଁ ।  ହେଲେ ସମ୍ଭାବନାର ଅନ୍ୟନାମ ରାଜନୀତି, ତେଣୁ ବିହାର ରାଜନୀତି କେଉଁ ଆଡକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା ।

 

Leave a Reply