ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସନ୍ତୁ ଜାଣିବା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

1 min read

ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମ ଦିବସ । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମ ଗ୍ରହଣ କରିଥିଲେ । ମୋଦି ହେଉଛନ୍ତି ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ସୁଅ ଛୁଟିଛି । ସୋସିଆଲ ମିଡିଆ ଖୋଲିବା ମାତ୍ରେ କେବଳ ମୋଦିଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ।

କୋଟି କୋଟି ଲୋକ ମୋଦିଙ୍କୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌-ଟ୍ୱିଟର ଭଳି ଲୋକପ୍ରିୟ ସୋସିଆଲ ସାଇଟ୍‌ ଆଜି ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାରେ ଭରି ହୋଇଯାଇଛି ।

modi

ନରେନ୍ଦ୍ର ମୋଦି କିଶୋରବସ୍ଥାରୁ ନିଜ ଘର ଛାଡ଼ି ଏକ ଆଶ୍ରମରେ ରହୁଥିଲେ । ପରେ ପରେ ସେ ଆଶ୍ରମରେ ହିଁ ରହି ନିଜର ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିଲେ । ସେ ୧୯୭୨ ମସିହା ଅକ୍ଟୋବର ୩ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ରେ ଯୋଗ ଦେଇଥିଲେ ।

ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ । ସେ ୨୦୧୪ ଲୋକସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ବାରାଣାସୀ ଓ ଭଦୋଦରାରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡଭାନୀଙ୍କ ଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା ।

୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବା ପରେ ସେ ମୁଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ ।

ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ନରେନ୍ଦ୍ର ମୋଦି ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହୁଥିବା ସୈନିକ ମାନଙ୍କୁ ସେବା ଯୋଗାଉଥିଲେ । ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ । ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ ।

Leave a Reply