ଜନ୍ମଦିନରେ ସୁଭଦ୍ରା ସହ ଏକାଧିକ ପ୍ରକଳ୍ପ ଭେଟି ଦେଲେ ମୋଦି
ଭୁବନେଶ୍ବର: ସେପ୍ଟେମ୍ବର ୧୭ ତାରିଖ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ନିଜ ଜନ୍ମଦିନରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ରେଳପଥ, ରାଜପଥ କ୍ଷେତ୍ରରେ ଓଡ଼ିଶାକୁ ନୂଆ ପ୍ରକଳ୍ପ ଦେବା ସହ ସାରା ଦେଶ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଆବାସ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାମନ୍ତ୍ରୀ ଗାଡ଼କଣ ଯାଇଥିଲେ । ସେଠାରେ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରି ଗୃହ ପ୍ରବେଶ କରାଇଥିଲେ । ଏହାସହ ଜନ୍ମଦିନରେ ଆଦିବାସୀ ମହିଳାଙ୍କ ହାତରୁ କ୍ଷୀରି ଖାଇ ନିଜ ମାଆଙ୍କ କଥା ମନେ ପକାଇଥିଲେ ।
ଏହାପରେ ଜନତା ମଇଦାନଠାରେ ଆୟୋଜିତ ସଭାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଫଳରେ ୨୫ ଲକ୍ଷ ହିତାଧିକାରୀ ଆଜି ପ୍ରଥମ କିସ୍ତିରେ ପାଇଛନ୍ତି ୫ ହଜାର ଲେଖାଏଁ ଟଙ୍କା । ସୁଭଦ୍ରା ଯୋଜନା ଶୁଭାରମ୍ଭ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅନ୍ନପୂର୍ଣ୍ଣା ଦେବୀଙ୍କ ସମେତ ରାଜ୍ୟର ୫ ମହିଳା ସାଂସଦ ଉପସ୍ଥିତ ଥିଲେ । ଏହି ଯୋଜନା ମହିଳାମାନଙ୍କୁ ସ୍ବାବଲମ୍ବୀ କରିବ ବୋଲି ପ୍ରଧାନମନ୍ତ୍ରୀ ଓ ଅନ୍ୟ ଅତିଥିମାନେ କହିଥିଲେ ।
ଏହି ଅବସରରେ ରେଳପଥ ଓ ରାଜପଥ ନିର୍ମାଣ ପାଇଁ ରାଜ୍ୟବାସୀଙ୍କୁ ୩ ହଜାର ୯୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶବ୍ୟାପୀ ୩ କୋଟି ଲୋକଙ୍କୁ ଘର ଦେବାକୁ ଆବାସ ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟାରେ ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ପାରମ୍ପରିକ ବାଦ୍ୟନୃତ୍ୟରେ ଲୋକେ ସ୍ବାଗତ କରିବା ପରେ ଗାଡ଼କଣ ଅଭିମୁଖେ ଯାଇଥିଲେ ମୋଦି । ସେଠାରେ ଆବାସ ଯୋଜନାର ୨୦ ହିତାଧିକାରୀଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ଗୃହ ପ୍ରବେଶ ବି କରାଇଥିଲେ । ଗାଡ଼କଣରେ ଆଦିବାସୀ ମହିଳାଙ୍କ ହାତରୁ କ୍ଷୀରି ଖାଇ ଜନ୍ମଦିନ ପାଲନ କରିଥିଲେ ।
ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ଯୋଗ ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ମନ୍ତ୍ରୀ, ବିଜେପି ବିଧାୟକ, ସାଂସଦ ମାନେ ଯୋଗ ଦେଇଥିଲେ ।