ମୋଦିଙ୍କୁ ଭେଟିଲେ ଜୟଶଙ୍କର, କାନାଡା ବିରୋଧରେ ହୋଇପାରେ…

1 min read

ନୂଆଦିଲ୍ଲୀ: ଭାରତ ଉପରେ କାନାଡା ଗମ୍ଭୀର ଅଭିଯୋଗ ଲଗାଇବାର ୨୪ ଘଣ୍ଟା ପରେ ଆଜି ଦିଲ୍ଲୀରେ ହେଭିୱେଟ ଏକାଠି ହୋଇଛନ୍ତି। ସଂସଦ ଭବନରେ ବୈଦେଶିକ ମନ୍ତ୍ରୀ ଏସ. ଜୟ ଶଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ହୋଇଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ, ଦୁହିଁଙ୍କ ମଧ୍ୟରେ କାନାଡା ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା । ତେବେ ଏହି ମାମଲାରେ ଭାରତ ସରକାରଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ସେନେଇ ଚର୍ଚ୍ଚା ଜୋର୍ ଧରିଛି ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରର ହତ୍ଯା ଘଟଣାରେ ଭାରତର ସମ୍ପୃକ୍ତି ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ବୟାନ ଦେବା ପରେ ଭାରତ ଓ କାନାଡା ମଧ୍ଯରେ ସମ୍ପର୍କ ତିକ୍ତ ହେଉଥିଲା। ଯାହାକୁ ଦୃଢତାର ସହ ପ୍ରତ୍ୟାଖ୍ୟାନ କରିଥିଲା ଭାରତ। ତେବେ ଏହି ତିକ୍ତତା ମଧ୍ୟରେ କାନାଡା ପକ୍ଷରୁ ନିଜ ଦେଶର ଲୋକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରାଯାଇଛି । ଦେଶବ୍ଯାପୀ ଆତଙ୍କବାଦୀ ଆକ୍ରମଣ  ଆଶଙ୍କା ଥିବାରୁ ଏଥିପ୍ରତି ସମ୍ପୂର୍ଣ୍ଣ ସଜାଗ ରହିବା ଲାଗି ପରାମର୍ଶ ଦିଆଯାଇଛି । ବିନା କାରଣରେ ଯାତ୍ରା ନ କରିବାକୁ କୁହାଯାଇଛି । ଏହା ସହ ଆତଙ୍କବାଦ ଘଟଣାବହୁଳ ଜାମ୍ମୁ ଓ କାଶ୍ମୀର ଓ ଲଦାଖକୁ ନ ଯିବା ଲାଗି ବି ଆଡଭାଇଜରୀରେ ଦର୍ଶାଯାଇଛି ।

ଗତ 19 ତାରିଖରେ କାନାଡା ସରକାର ସେଠାରେ ଅବସ୍ଥାପିତ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ବିଙ୍ଗର ମୁଖ୍ଯ ପବନ କୁମାର ରାଏଙ୍କୁ ବହିଷ୍କାର କରିଥିଲେ ।  ଯାହାର ଜବାବରେ ଯେସାକୁ ତେସା ନୀତି ଆପଣାଇ ଭାରତ ପକ୍ଷରୁ ଦେଶରେ ଅବସ୍ଥାପିତ କାନାଡାର ବରିଷ୍ଠ କୂଟନୀତିଜ୍ଞ ଓଲିଭର ସିଲଭେଷ୍ଟରଙ୍କୁ ବହିଷ୍କାର କରାଯାଇଥିଲା।

ତେବେ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ NSA ଅଜିତ ଡୋଭାଲଙ୍କ ଭେଟଘାଟକୁ ନେଇ ଭିନ୍ନଭିନ୍ନ ଆକଳନ କରାଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ ଦେଶର ଅନ୍ତରୀଣ ସୁରକ୍ଷା ପ୍ରସଙ୍ଗକୁ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା କରାଯାଇଛି । ନିକଟରେ କାଶ୍ମୀରର ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରରେ ଖଲିସ୍ତାନ କନେକ୍ସନ ଥିବା ଜଣାପଡିଥିଲା । ଯାହାର ଯାଞ୍ଚ ଏନଆଇଏ କରୁଛି ।