‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ଵର ଜନତା ମଇଦାନରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ସେ ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ହିତାଧୀକାରୀଙ୍କୁ ଅନୁଦାନ ରାଶି ପ୍ରଦାନ କରିଛନ୍ତି । ଏହାଦ୍ଵାରା ଆଜି ପ୍ରଥମ କିସ୍ତିରେ ହିତାଧିକାରୀଙ୍କୁ ମିଳିଛି ୫ ହଜାର ଲେଖାଏଁ ଟଙ୍କା । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟିଏଲ୍ ମାଧ୍ୟମରେ ଏହି ଟଙ୍କା ଯାଇଛି ।

ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ୫ ବର୍ଷରେ ୧୦ଟି କିସ୍ତିରେ ମିଳିବ ମୋଟ ୫୦ ହଜାର ଟଙ୍କା । ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମୋଦି କହିଛନ୍ତି, ମୋଟ ୧ କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେମାନେ ଯେଉଁ ଅର୍ଥ ରାଶି ପାଇବେ, ସେଥିରେ ରୋଜଗାରର ନୂଆ ଉପାୟ କରିପାରିବେ । ପିଲାଙ୍କ ପାଠ ପଢ଼ାରେ କିମ୍ବା ନିଜ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ । ସୁଭଦ୍ରା ଯୋଜନାକୁ ଡିଜିଟାଲ କରେନସିରେ ମଧ୍ୟ ଯୋଡ଼ା ଯାଇଛି । ମୋଦି କହିଛନ୍ତି, ମାଆ ସୁଭଦ୍ରାଙ୍କ ନିକଟରେ ମୋର ପ୍ରାର୍ଥନା, ମାଆ ଭଉଣୀଙ୍କୁ ସଶକ୍ତ କରୁ ସୁଭଦ୍ରା ଯୋଜନା ।

ସୁଭଦ୍ରା ଯୋଜନାରେ ଗତକାଲି ସୁଦ୍ଧା ୭୨ ଲକ୍ଷରୁ ଅଧିକ ମହିଳା ପଞ୍ଜିକରଣ କରିଛନ୍ତି । ଆଜି ପ୍ରଥମ କିସ୍ତିରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ୧୨ ଶହ ୫୦ କୋଟିରୁ ଅଧିକ ଟଙ୍କା ଯାଇଛି । ଜନତା ମଇଦାନରେ ସୁଭଦ୍ରା ଯୋଜନା ସହିତ ଉଭୟ ପିଏମ୍ ଆବାସର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟ ନିର୍ଦ୍ଦେଶ ପତ୍ର, ଅନେକ ରେଳ ପ୍ରକଳ୍ପ ଓ କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ କୋର୍ଟର ଉନ୍ମୋଚନ କରିଛନ୍ତି ମୋଦି ।