ନବୀନଙ୍କ ନକ୍ସାରେ ମୋଦିଙ୍କ ମୋହର: ରାଜ୍ୟ ଦେଉଥିଲା ମାଗଣା ଟିକା, ଏଥର କେନ୍ଦ୍ର ବି ଦେବ

ଭୁବନେଶ୍ୱର: ସଂକ୍ରମଣକୁ ମାତ୍‌ ଦେବା ପାଇଁ ସଂଜୀବନୀ ଅସ୍ତ୍ର ବୋଲି ବୁଝିସାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ୧୮ ବର୍ଷରୁ ଅଧିକଙ୍କୁ ମାଗଣା ଟିକା ଦେବା ଅନେକ ଆଗରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣ ପାଇଁ କେନ୍ଦ୍ର ଆବଶ୍ୟକ ମୁତାବକ ଭ୍ୟାକସିନ୍‌ ନଦେବା ପରେ ବିଭିନ୍ନ ଟିକାକେନ୍ଦ୍ରରେ ସମସ୍ୟା ଦେଖାଦେଇଥିଲା । ଟିକା ନପାଇ ଫେରୁଥିଲେ ଲୋକେ । ଏଭଳି ସମୟରେ ନିଜେ ଟିକା କିଣିବାକୁ ଅଣ୍ଟା ଭିଡ଼ିଥିଲେ ରାଜ୍ୟ ସରକାର ।

 

ରାଜ୍ୟ ସରକାରଙ୍କୁ ଟିକା ଉତ୍ପାଦନକାରୀ ସଂସ୍ଥାଙ୍କଠାରୁ ସିଧାସଳଖ ଟିକା କିଣିବାକୁ ଅନୁମତି ଦେବା ପାଇଁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ସମୟରେ ଅନୁମତି ମଧ୍ୟ କେନ୍ଦ୍ର ଦେଇଥିଲା । ତଥାପି ଟିକା ଅଭାବ ଜାରି ରହିଲା । ଆବଶ୍ୟକ ମୁତାବକ ଟିକା ଯୋଗାଇ ପାରିଲେନି ଉତ୍ପାଦନକାରୀ ସଂସ୍ଥା । ଏହାପରେ ବିଦେଶରୁ ଟିକା କିଣିବାକୁ ପାଇଁ ଗ୍ଲୋବାଲ ଟେଣ୍ଡର କରିବାକୁ ନିଷ୍ପତ୍ତି ନେଇଥିଲା ରାଜ୍ୟ କ୍ୟାବିନେଟ୍ । ନିଷ୍ପତ୍ତି ଆଧାରରେ ମେ ୧୫ରେ ଗ୍ଲୋବାଲ ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ବିଦେଶରୁ ଟିକା ଆମଦାନୀରେ କେନ୍ଦ୍ରୀୟ ଆଇନ୍ ବାଧକ ସାଜିବାରୁ ଜୁନ୍ ପହିଲାରେ ରାଜ୍ୟ ସରକାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରୀୟସ୍ତରରେ ରାଜ୍ୟ ମାନଙ୍କ ପାଇଁ ବିଦେଶରୁ ଟିକା ଆମଦାନୀ କରିବାକୁ ଦାବି କରିଥିଲେ । ପରେ ଏନେଇ ସାରା ଦେଶରେ ସହମତି ସୃଷ୍ଟି କରିବାକୁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏହି ଟିକା ପ୍ଲାନ୍‌କୁ ସାରା ଦେଶରୁ ମିଳିଥିଲା ସମର୍ଥନ । ତେବେ ମୁଖ୍ୟମନ୍ତ୍ରୀଙ୍କ ଟିକା ଯୋଜନାକୁ ଆଜି ମୋହର ଲଗାଇଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ରାଜ୍ୟକୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ।

Leave a Reply