‘ଓଡ଼ିଆ ସଂଗୀତ ଓ ସଂସ୍କୃତି ପାଇଁ ପ୍ରଫୁଲ୍ଲ କରଙ୍କ ଯୋଗଦାନ ସ୍ମରଣୀୟ’

1 min read

ଭୁବନେଶ୍ୱର: ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା ସଂଗୀତ ଦୁନିଆର କିମ୍ବଦନ୍ତୀ ପୁରୁଷ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଆ ସଂଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି ରଖିବ । ଶ୍ରୀଯୁକ୍ତ କର ଅନେକ ପ୍ରତିଭାର ଅଧିକାରୀ ଏବଂ ତାଙ୍କର ସୃଜନଶୀଳତା କାର୍ଯ୍ୟରେ ପ୍ରତିଫଳିତ ହୁଏ । ସେହିପରି ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଓଡ଼ିଶା ସଂଗୀତ ଜଗତ ପାଇଁ ପ୍ରଫୁଲ୍ଲ କରଙ୍କ ଅବଦାନ ସର୍ବଦା ଅବିସ୍ମରଣୀୟ  । ଓଡ଼ିଶାର କଳାକାରଙ୍କୁ ପ୍ରୋତ୍ସାହନ ଓ ଉତ୍ସାହିତ କରିବା ସହ ତାଙ୍କର ମର୍ମଭେଦୀ ସଂଗୀତ ନିର୍ଦ୍ଦେଶନା ଦର୍ଶକଙ୍କ ନିକଟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି  । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତରେ ପ୍ରଫୁଲ ଥିଲେ ପ୍ରବୀଣ । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ସାଧନାରେ ନିମଗ୍ନ ରହିଥିଲେ । ୨୦୧୫ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ  । ମାତ୍ର ୨୧ ବର୍ଷ ବୟସରେ ଆକାଶବାଣୀର ସ୍ବିକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ ସେ । ଏହାପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ସାଧନାରେ ନିମଗ୍ନ ରହିଥିଲେ । ଗୀତ ରଚନାରେ ସେ ଯେତିକି ସିଦ୍ଧହସ୍ତ ଥିଲେ, ତାକୁ ସଙ୍ଗୀତରେ ସଜାଇ ଓଡ଼ିଆ ଶ୍ରୋତାଙ୍କୁ ଭେଟି ଦେଉଥିଲେ ଚମତ୍କାର ସଙ୍ଗୀତ ।

କଣ୍ଠଶିଳ୍ପୀ ଭାବେ ତାଙ୍କର ସ୍ବର ଶ୍ରୋତାଙ୍କ ମନରେ ନିଆରା ଛାପ ଛାଡିଥିଲା । ୨୦୧୬ ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ଲଗାତର୬ ଥର ସମେତ ସମୁଦାୟ ୮ ଥର ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ପ୍ରାପ୍ତ କରିଛନ୍ତି । ଥରେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଜୟଦେବ ପୁରସ୍କାର ସହ ଅନେକ ସମ୍ମାନ ପାଇଛନ୍ତି ପ୍ରଫୁଲ କର । ଶ୍ରୀ ପତିତପାବନ ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ସେ । ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମମତାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଜଗତରେ ପାଦ ଥାପିଥିଲେ ।