‘ଓମିକ୍ରୋନ୍’ ଭ୍ୟାରିଆଣ୍ଟର ଭୟାବହତା ମଧ୍ୟରେ ଦେଶରେ କରୋନା ସ୍ଥିତି ଓ ଟିକାକରଣ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ପ୍ରବାହ ଦେଖାଯିବା ନେଇ ଆଶଙ୍କା ମଧ୍ୟରେ ଇରୋପୀୟ ଦେଶମାନଙ୍କରେ କରୋନା ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରୋନ୍’ ଚିହ୍ନଟ ହୋଇଛି । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭ୍ୟାରିଆଣ୍ଟ ଟୁ କନସର୍ଣ୍ଣ ବୋଲି କହିଛି । ଏହି ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା କିଛି ଦେଶମାନଙ୍କରେ କରୋନା କଟକଣା ମଧ୍ୟ ଲାଗୁ କରାଯାଇଛି ।  ଏହାରି ମଧ୍ୟରେ ଦେଶରେ କରୋନା ସ୍ଥିତି ଓ ଟିକାକରଣ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ୟାବିନେଟ ସଚିବ ରାଜୀବ ଗୌବା, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଓ ନିତି ଆୟୋଗ ସଦସ୍ୟ ଡ.ଭିକେ ପଲ୍ ଉପସ୍ଥିତ ଥିଲେ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ହଜାର ୩୧୮ କରୋନା ମାମଲା ସାମ୍ନାକୁ ଆସିଛି । ୪୬୫ ଗଣ ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ପ୍ରାଣ ହରାଇଥିବା ବେଳେ, ଏଯାବତ୍ ଦେଶରେ ମୋଟ କୋଭିଡ ମୃତକଙ୍କ ସଂଖ୍ୟା ୪ଲକ୍ଷ ୬୭ହଜାର ୯୩୩ରେ ପହଞ୍ଚିଛି ।

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରୋନ୍ ଦ୍ରୁତଗତିରେ ବ୍ୟାପୁଥିବା ବେଳେ ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି । ଯାହାକୁ ନଜରରେ ରଖି ଭାରତ ଏହି ଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ କିଛି ନିୟମାବାଳୀ ଜାରି କରିଛି । ବିମାନବନ୍ଦରରେ ଓହ୍ଲାଇବା ପରେ ଯାତ୍ରୀଙ୍କ କରୋନା ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଦକ୍ଷିଣ ଆଫ୍ରିକା ସହିତ ହଂକଂ ଏବଂ ଇସ୍ରାଏଲରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଜାରି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀରେ ଥମୁନି ବାୟୁ ପ୍ରଦୂଷଣ; ସରକାରଙ୍କ ସତର୍କବାଣୀ

Leave a Reply