ସେନା ଜ୍ୟାକେଟରେ ପ୍ରଧାନମନ୍ତ୍ରୀ: ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ପାଳିଲେ ଦୀପାବଳି

1 min read

ଲେପଚା: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିମାଚଳ ପ୍ରଦେଶର ଲେପଚା ଯାଇ ସୁରକ୍ଷାବାହିନୀଙ୍କ ସହ ଦୀପାବଳି ପାଳନ କରିଛନ୍ତି ମୋଦି । ଏହି ଅବସରରେ ସେନା ଜ୍ୟାକେଟରେ ତାଙ୍କୁ ଦେଖିବାକୁ ମିଳିଥିଲା । ହିମାଚଳ ପ୍ରଦେଶରେ ପହଞ୍ଚିବା ପରେ ସୀମାନ୍ତ ଲେପଚାକୁ ଯାଇ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।

ଲେପଚାରେ ପହଞ୍ଚିବା ପରେ ସୁରକ୍ଷା କର୍ମୀଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଯବାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହାସହ ଯବନାଙ୍କୁ ମୁଠା ଖୁଆଇଥିଲେ । ଏହି ଅବସରରେ ଯବାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ ।

ଲେପଚାରେ ପହଞ୍ଚିବା ପରେ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଥିଲେ- ଆମ ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ହିମାଚଳ ପ୍ରଦେଶରେ ପହଞ୍ଚି ଗଲିଣି ।

ସାରା ଦେଶ ଦୀପାବଳି ପାଳୁଥିବା ବେଳେ ସୀମା ସୁରକ୍ଷାରେ ମୁତୟନ ଯବାନ ସେମାନଙ୍କ ଡ୍ୟୁଟି କରୁଛନ୍ତି । ଏମିତି ସ୍ଥିତିରେ ଏହି ପବିତ୍ର ଦିନରେ ସେମାନେ ନିଜ ପରିବାରଠାରୁ ଦୂରରେ ରହୁଥିବାରୁ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଦୀପାବଳି ପାଳନ କରିବାକୁ ଯବାନଙ୍କ ପାଖକୁ ଯାଇଥାନ୍ତି ।

୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଦୀପାବଳି ପାଳନ କରିବାକୁ ସିୟାଚୀନରେ ମୁତୟନ ଯବାନଙ୍କ ପାଖକୁ ଯାଇଥିଲେ । ୨୦୧୫ରେ କାରଗିଲରେ ମୁତୟନ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ମୋଦି । ସେହିପରି ୨୦୧୬ରେଲଦାଖ ଯାଇ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ।