ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ସାମ୍ନାରେ କଳା ବେଲୁନ ଉଡାଇଲେ କଂଗ୍ରେସ କର୍ମୀ, ୩ ଗିରଫ

1 min read

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର ସାମ୍ନାରେ କଳା ବେଲୁନ ଉଡୁଥିବାର ଦେଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦୁଇ ହେଲିକପ୍ଟର ବିଜୟୱାଡାର ଗନ୍ନାଭରମ ବିମାନବନ୍ଦରରୁ ଉଡାଣ ଭରିଥିଲା । ଏହି ସମୟରେ କଂଗ୍ରେସ କର୍ମୀମାନେ ବିମାନବନ୍ଦର ପାଖ ଏକ ନିର୍ମାଣଧୀନ କୋଠାର ଛାତ ଉପରୁ ବେଲୁନ ଉଡାଇଥିଲେ । କୁହାଯାଉଛି ଯେ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ କରି ବେଲୁନ ଉଡାଇଥିଲେ  । ମାଳ ମାଳ ବେଲୁନ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଆଗରେ ଉଡୁଥିବାର ଭିଡିଓ ମଧ୍ୟ ଭାଇରାଲ୍ ହେଉଛି  ।  ପୋଲିସ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଏମାନେ ବେଲୁନ ସହ ପୋଷ୍ଟର ମଧ୍ୟ ବାନ୍ଧିକି ଉଡାଇଥିଲେ ।

ଏସପି ସିଦ୍ଧାର୍ଥ କୁଶଲଙ୍କ କହିବା ଅନୁଯାୟୀ, ବିମାନବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଯେମିତି ହିଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର ଉଡିବା ଆରମ୍ଭ କରିଥିଲା କଂଗ୍ରେସକର୍ମୀ ମାନେ ବେଲୁନ ଗୁଡିକୁ ଆକାଶକୁ ଛାଡି ଦେଇଥିଲେ । ଏହି ଘଟଣାକୁ ବିଜେପି ନେତାମାନେ ସୁରକ୍ଷାରେ ବଡ ତ୍ରୁଟି ବୋଲି କହିଛନ୍ତି । ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ କୌଣସି ପ୍ରତିକ୍ରିୟା ଆସନାହିଁ  ।  ସୂଚନାଥାଉକି ପ୍ରଧାନମନ୍ତ୍ରୀ ମୋଦୀ ୨ ଓ ୩ ତାରିଖରେ ହୋଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବା ପାଇଁ ହାଇଦ୍ରାବାଦ ଯାଇଥିଲେ  ।