ସାରା ଦେଶରେ CAA ବିରୋଧ ମଧ୍ୟରେ ରାମଲୀଳାରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ରାଲି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାରାଲି । ରାମଲୀଳା ମୈଦାନରେ ‘ଧନ୍ୟବାଦ ରାଲି’ ଅନୁଷ୍ଠିତ ହୋଇଯାଇଛି । ସଂଶୋଧିତ ନାଗରିକତା ଆଇନକୁ ପ୍ରତିବାଦ ଭିତରେ ଏହି ରାଲି ହୋଇଛି । ଦିଲ୍ଲୀରେ ଥିବା ଅଣସ୍ୱୀକୃତି ପ୍ରାପ୍ତ କଲୋନୀଗୁଡିକୁ ସ୍ୱୀକୃତି ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଏହି ରାଲିର ଆୟୋଜନ କରାଯାଇଥିଲା । ଏଥିରେ ଦିଲ୍ଲୀ ବିଜେପିର ବରିଷ୍ଠ ନେତାଙ୍କ ସହ କେନ୍ଦ୍ରୀୟ ନେତା ଓ ବିଜେପିର ପଦାଧିକାରୀମାନେ ସାମିଲ ହୋଇଥିଲେ ।

ରାଲିକୁ ସମ୍ବୋଧିତ କରି ମୋଦି କହିଛନ୍ତି, ନୂଆ ସକାଳ ଆଣିବା ପାଇଁ ବିଜେପିକୁ ସୁଯୋଗ ମିଳିଛି । ସାଧାରଣ ଜନତାଙ୍କ ଘର ପାଇଁ ବିଭିନ୍ନ ପ୍ରକାର ବାଧା ସୃଷ୍ଟି କରାଯାଉଥିଲା । ତେବେ ପ୍ରଧାନମନ୍ତ୍ରୀ ଉଦୟ ଯୋଜନାରେ ଲୋକଙ୍କୁ ଘର ଅଧିକାର ମିଳିଛି । ଅଣସ୍ୱୀକୃତିପ୍ରାପ୍ତ କଲୋନୀର ବିକାଶ କାମ ହାତକୁ ନିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଦିଲ୍ଲୀରେ ୧୭ ଶହ ୩୧ଟି କଲୋନୀକୁ ନିୟମିତ କରାଯାଇଛି । ଆସନ୍ତାବର୍ଷ ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଖିରେ ରଖି ମୋଦି ଏପରି ରାଜନୈତିକ ଷ୍ଟଣ୍ଟ ମାରିଥିବା ରର୍ଚ୍ଚା ହେଉଛି ।

ସେହିପରି ସଂଶୋଧିତ ନାଗରିକତା ଆଇନ ବାବଦରେ ମତ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିବିଧତା ଭିତରେ ଏକତା ହେଉଛି ଆମର ବିଶେଷତ୍ୱ । ଦେଶର ସମସ୍ୟାକୁ ଝୁଲାଇ ରଖିବା ଉଦ୍ଦେଶ୍ୟ  ନୁହେଁ । ଏହାର ଶୀଘ୍ର ସମାଧାନ ଜରୁରି । ୪୦ ଲକ୍ଷ ଲୋକଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହୋଇଛି । ଏବେ ସେମାନେ ଭାରତୀୟ ନାଗରିକ ହୋଇଯାଇଛନ୍ତି । ନାରକିକତା ଆଇନକୁ ନେଇ ଅରାଜକତା ସୃଷ୍ଟି କରୁଥିବା ଲୋକେ ବରଂ ତାଙ୍କ ପୁତ୍ତଳିକା ଦାହ କରନ୍ତୁ, କିନ୍ତୁ ଦେଶର ସଂପତ୍ତିକୁ ଜଳାନ୍ତୁ ନାହିଁ  ବୋଲି କହିଛନ୍ତି ମୋଦି ।

Leave a Reply