ବୁଧବାର ସଂଧ୍ୟାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ୨୦ରୁ ଅଧିକ ନୂଆ ମୁହଁ

ନୂଆଦିଲ୍ଲୀ:  ବୁଧବାର ସଂଧ୍ୟା ସୁଦ୍ଧା କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚାରେ ପଡିପାରେ ପୂର୍ଣ୍ଣଛେଦ  । ଅର୍ଥାତ ଆସନ୍ତାକାଲି ଅପରାହ୍ନରେ କେନ୍ଦ୍ରମନ୍ତ୍ରିମଣ୍ଡଳ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି । କେନ୍ଦ୍ରରେ ଏନ୍‌ଡିଏ ସରକାରର ଦ୍ବିତୀୟ ପାଳିରେ ପ୍ରଥମ ଥର ପାଇଁ କ୍ୟାବିନେଟ ବିସ୍ତାର ହେବାକୁ ଯାଉଛି । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ମନ୍ତ୍ରୀମଣ୍ଡଳ ବିସ୍ତାର ହେବ । ବର୍ତ୍ତମାନ ଥିବା କିଛି ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ବରୁ ହଟାଯାଇପାରେ । କାହାକୁ ମିଳିବ ମନ୍ତ୍ରୀ ପଦ ତାରି ଉପରେ ସମସ୍ତଙ୍କ ନଜର । କିଛି ଆଶାୟୀ ଏବେଠୁ ଦିଲ୍ଲୀରେ ଡେରା ପକାଇଲେଣି ।

ଆସନ୍ତା ବର୍ଷ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନଜରରେ ରଖି ମନ୍ତ୍ରୀ ପରିଷଦ ବିସ୍ତାର ହେବ । ବର୍ତ୍ତମାନ ଥିବା କିଛି ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ବରୁ ହଟାଯିବ । ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟା ସିନ୍ଧିଆ, ମହାରାଷ୍ଟ୍ରର ବରିଷ୍ଠ ନେତା ନାରାୟଣ ରାଣେ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲେ ଦିଲ୍ଲୀରେ ପହଞ୍ଚିଛନ୍ତି । ଜେଡିୟୁର ଆର ପି ସିଂ ମଧ୍ୟ ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗି ବିଜେପି ସରକାର ଗଢ଼ିବାରେ ମୁଖ୍ୟ ପୁରୋଧା ସାଜିଥିବା ସିନ୍ଧିଆଙ୍କୁ ମିଳିବ ଗୁରୁ ଦାୟିୁତ୍ବ ।

ଅନ୍ୟପଟେ ମନ୍ତ୍ରୀମଣ୍ଡଳରେ ୨୦ ନୂଆ ଚେହେରାଙ୍କୁ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏଥିସହ ଓଡ଼ିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିପାରେ । ଏବେ ଓଡ଼ିଶାରୁ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ଏହି ସଂଖ୍ୟା ବଢାଇବାକୁ ବିଜେପି ଯୋଜନା କରୁଛି । ମନ୍ତ୍ରୀମଣ୍ଡଳରେ ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗର ନେତାଙ୍କୁ ସାମିଲ ହୋଇପାରନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନୂଆ ଟିମ୍ ସହ ମଇଦାନକୁ ଓହ୍ଲାଇବେ ବୋଲି ବିଶେଷଜ୍ଞ କହିଛନ୍ତି ।

ସେପଟେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାମାନ୍ୟ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି । ତାଙ୍କର ଇଛା ସହଯୋଗୀ ଦଳ ଭାବେ ଜେଡିୟୁରୁ ୪ ଜଣଙ୍କୁ ମନ୍ତ୍ରୀ ପଦ ମିଳୁ । ନିକଟରେ ଏହି ଚର୍ଚ୍ଚା କରିବା ପାଇଁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସେ ଭେଟିଥିଲେ । ଏପଟେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜ୍ୟପାଳ ସ୍ତରରେ ବଡଧରଣର ପରିବର୍ତ୍ତନ । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ବରଚାନ୍ଦ ଗେହଲଟ ହୋଇଛନ୍ତି କର୍ଣ୍ଣାଟକ ରାଜ୍ୟପାଳ । ଏହା ସହ ବଦଳିଛନ୍ତି ଅନ୍ୟ ୭ ରାଜ୍ୟର ରାଜ୍ୟପାଳ ।

୮ ରାଜ୍ୟ ପାଇଁ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମିଜୋରାମର ରାଜ୍ୟପାଳ ଦାୟିତ୍ବ ତୁଲାଇବେ ହରିବାବୁ କମ୍ଭମପତି । ସେହିଭଳି ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ମଙ୍ଗୁଭାଇ ଛଗନଭାଇ ପଟେଲଙ୍କୁ ନିଯୁକ୍ତି ମିଳିଛି । ହିମାଚଳପ୍ରଦେଶ ପାଇଁ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲକରଙ୍କୁ ଦାୟିତ୍ବ ମିଳିଛି । ସେହିପରି ଗୋଆ ପାଇଁ ପିଏସ୍ ଶ୍ରୀଧରନ ପିଲାଇ, ତ୍ରିପୁରା ପାଇଁ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ରମେଶ ବୈସଙ୍କୁ ଝାଡ଼ଖଣ୍ଡ ଓ ବନ୍ଦାରୁ ଦତ୍ତାତ୍ରୟଙ୍କୁ ହରିୟାଣା ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ।

Leave a Reply