ନୂଆ ସଂସଦ ଭବନରେ ଲୋକର୍ପିତ ହେଲା ରାଷ୍ଟ୍ରୀୟ ପ୍ରତୀକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂତନ ସଂସଦ ଭବନ ଛାତରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିଛନ୍ତି । ଶୌର୍ଯ୍ୟ ଓ ସାହସିକତାର ଏହି ପ୍ରତୀକ ତମ୍ବାରେ ନିର୍ମିତ ଅଟେ । ଜାତୀୟ ପ୍ରତୀକ ଏହି ଅଶୋକ ସ୍ତମ୍ଭର ଉଚ୍ଚତା ୬.୫ ମିଟର ହୋଇଥିବାବେଳେ, ଏହାର ଓଜନ ୯ ହଜାର ୫୦୦ କିଲୋଗ୍ରାମ ଅଟେ । ଆଠଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏହାକୁ ତିଆରି କରାଯାଇଛି ।

ନୂତନ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକର ଉନ୍ମୋଚନ ଅବସରରେ ବିଦ୍ଧି ଭାବରେ ପୂଜାର୍ଚ୍ଚନା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପବାଚସ୍ପତି ହରିବଂଶ ନାରାୟଣ ସିଂ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଉପସ୍ଥିତ ରହିଥିଲେ ।

ନୂତନ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନିର୍ମାଣ କରିଥିବା ଶ୍ରମିକଙ୍କୁ ଭେଟିଥିଲେ ଓ ସେମାନଙ୍କ ସହ ଆଲୋଚନା କରିଥିଲେ ।