ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ ପିଏମ୍ ମୋଦି

1 min read
PM Modi to visit Odisha & WB to review the impact of Cyclone Yaas tomorrow

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଛି ଅତି ଭୀଷଣ ବାତ୍ୟା ‘ୟାସ୍’ । ଅନେକ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଚାଷଜମି ବୁଡ଼ି ରହିଛି । ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆକାଶ ମାର୍ଗରୁ ବୁଲି ଦେଖିଥିଲେ ।

PM Modi to visit Odisha & WB to review the impact of Cyclone Yaas tomorrow

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ଭୁବନେଶ୍ୱରରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକରେ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଆଲୋଚନା କରିବେ । ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ବୁଲି ଦେଖିବେ ।

ବାତ୍ୟା ‘ୟାସ୍’ରେ ଗମ୍ଭୀର ଭାବେ ପ୍ରଭାବିତ ବାଲେଶ୍ୱର, ଭଦ୍ରକ ସହ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରର ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ମୋଦି ଆକାଶ ମାର୍ଗରୁ ପରିଦର୍ଶନ କରିବେ । ତା’ପରେ ପଶ୍ଚିମବଙ୍ଗରେ ମୋଦି ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି ।

Leave a Reply