ଓ୍ବାୟନାଡର ଧ୍ବସ୍ତବିଧ୍ବସ୍ତ ଅଞ୍ଚଳ ଆଜି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ୱାୟନାଡ: କେରଳ ଓ୍ବାୟନାଡର ଧ୍ବସ୍ତବିଧ୍ବସ୍ତ ଅଞ୍ଚଳକୁ ଆଜି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଘୋଷଣା କରିଛନ୍ତି କେରଳ ମୁଖ୍ଯମନ୍ତ୍ରୀ ପିନରୟି ବିଜୟନ । ଭୟଙ୍କର ବିପର୍ଯ୍ୟୟର ଶିକାର ହୋଇଥିବା ଓ୍ବାୟନାଡକୁ କେନ୍ଦ୍ରୀୟ ଅନୁଦାନ ଲାଗି ଦାବି କରିଥିଲେ ବିଜୟନ । ପୂର୍ବରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏହି ଅଞ୍ଚଳ ପରିଦର୍ଶନ କରିଥିଲେ ।

ଓ୍ବାୟନାଡର ଚୁରଲମାଲା ଓ ମୁନ୍ଦାକ୍କାଇରେ ଘଟିଥିବା ଏହି ବିପର୍ଯ୍ୟୟରେ ପ୍ରାଣ ହରାଇଛନ୍ତି ୪୨୦ରୁ ଅଧିକ ଲୋକ । ବର୍ତ୍ତମାନ ବି ଅନେକ ଲୋକ ନିଖୋଜ ଅଛନ୍ତି । ପ୍ରାୟ ୨୫୦ ଶବର ସତ୍କାର କରାଯାଇଛି । ଗତ ଜୁଲାଇ ୩୦ ତାରିଖର ବିଭୀଷିକା ପରେ ଏନଡିଆରଏଫ, ଏସଡିଆରଏଫ, ତିନିବାହିନୀ, ଅଗ୍ନିଶମ ବାହିନୀ, ବନ ବିଭାଗ, ରାଜ୍ଯ ପୋଲିସର ମେଗା ଅପରେସନ ଜାରି ରହିଥିଲା ।

ବର୍ତ୍ତମାନ ବି ବିଭିନ୍ନ ରିଲିଫ ଶିବିରରେ ୧୦ ହଜାରରୁ ଅଧିକ ବିପନ୍ନ ରହିଛନ୍ତି । ଏହି ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ଲାଗି ରାହୁଲଙ୍କ ସମେତ ବିଭିନ୍ନ ଦଳର ନେତା କେନ୍ଦ୍ର ନିକଟରେ ଦାବି କରିଥିଲେ । ସେପଟେ ୧୦ ଦିନର ନନଷ୍ଟପ ରେସ୍କ୍ୟୁଅପରେସନ ପରେ ଓ୍ବାୟନାଡରୁ ବିଦାୟ ନେଇଛି ସେନା ।