ନୌସେନା ସୈନିକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ପାଳନ, INS ବିକ୍ରାନ୍ତରୁ ସୈନିକଙ୍କୁ କଲେ ସମ୍ବୋଧନ

ନନ୍ଦିଘୋଷ ବ୍ୟୁରୋ : ନୌସେନାର ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି। ଆଇଏନଏସ ବିକ୍ରାନ୍ତରେ ନୌସେନାର ନାବିକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ, ଯେଉଁମାନେ ନିଜ ଦମରେ ଲଢ଼ନ୍ତି ସେମାନଙ୍କର ସର୍ବଦା ବିଜୟ ହୁଏ। ଦୀପାବଳି ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତ ପରିଦର୍ଶନ କରିଥିଲେ।
ଏହି ଅବସରରେ ସେ ଭାରତୀୟ ନୌସେନାର ସାହସୀ ଅଧିକାରୀ ଏବଂ ସୈନିକମାନଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଯବାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଅପରେସନ ସିନ୍ଦୂରରେ ତିନି ସଶସ୍ତ୍ର ବାହିନୀର ସାହସିକତା ଏହା ପ୍ରମାଣିତ କରିଛି ଯେ ଆମର ସେନା ସବୁଠାରୁ ଶକ୍ତିଶାଳୀ। ଆମର ସାହସୀ ସୈନିକମାନେ ପାକିସ୍ତାନକୁ ଧୂଳି ଚଟାଇଛନ୍ତି। ମୁଁ ମଧ୍ୟ ଏହି ଦୀପାବଳି ମୋ ପରିବାର ସହିତ ପାଳନ କରୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଏହି ଦୀପାବଳି ସ୍ୱତନ୍ତ୍ର ବୋଲି କହିଥିଲେ ପ୍ରଧାନନମନ୍ତ୍ରୀ। ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ମୋଦି ନାବିକମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ଏହି ମୁହୂର୍ତ୍ତଟି ସ୍ମରଣୀୟ। ଆଜି ଗୋଟିଏ ପାର୍ଶ୍ୱରେ ବିଶାଳ ସମୁଦ୍ର ଅଛି ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ଅଛି। ସମୁଦ୍ର ଜଳରେ ଝଲସୁଥିବା ସୂର୍ଯ୍ୟଙ୍କ କିରଣ ଏହି ସାହସୀ ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପାବଳି ଦୀପ ସଦୃଶ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।