କୃଷି ଆଇନକୁ ବିରୋଧ ରାଜନୈତିକ ଧୋକାବାଜି: ପ୍ରଧାନମନ୍ତ୍ରୀ
1 min readନୂଆଦିଲ୍ଲୀ : କୃଷି ଆଇନର ବିରୋଧୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶ୍ନ ଉଠାଇଛନ୍ତି । କୃଷକ ସମର୍ଥକ ଆଇନର ବିରୋଧକୁ ସେ ‘ରାଜନୈତିକ ଧୋକାବାଜି’ ବୋଲି କହିଛନ୍ତି । ଏହା ସହିତ ସରକାର କୃଷକଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସେ ପୁଣିଥରେ ଦୋହରାଇଛନ୍ତି । ନିକଟରେ ସୁପ୍ରିମକୋର୍ଟ ଦିଲ୍ଲୀ ସୀମାରେ ପ୍ରଦର୍ଶନ କରୁଥିବା କୃଷକଙ୍କୁ ହଟାଇବା ପାଇଁ ଉପାୟ କରିବା ନିମନ୍ତେ ସରକାରଙ୍କୁ କହିଥିଲେ । ଜନ୍ତର ମନ୍ତରରେ ପ୍ରଦର୍ଶନ ପାଇଁ ଅନୁମତି ମାଗିଥିବା କୃଷକ ସଂଗଠନଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ ।
ଇଂରାଜୀ ପତ୍ରିକା ଓପନକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘‘କୃଷକ ସମର୍ଥକ ସୁଧାରକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ଯଦି ଆପଣ ଦେଖିବେ ତେବେ ଏଥିରେ ଆପଣଙ୍କୁ ବୌଦ୍ଧିକ କପଟତା ଓ ରାଜନୈତିକ ଧୋକାବାଜି ନଜର ଆସିବ । ପ୍ରଥମେ ପ୍ରତିଶ୍ରୁତି ଦିଅ ଓ ସେଥିପାଇଁ ବିତର୍କ କର କିନ୍ତୁ ପରେ ବିନା କୌଣସି ନୈତିକ ସୂତ୍ର ଆଧାରରେ ସେହି କଥାକୁ ବିରୋଧ କର’’।
ସେ ଅଭିଯୋଗ କରିଛନ୍ତି ଯେ, କୃଷି ଆଇନକୁ ଯେଉଁମାନେ ଏବେ ବିରୋଧ କରୁଛନ୍ତି ସେମାନେ ଆଗରୁ ଏଭଳି ପରିବର୍ତ୍ତନ ଚାହୁଁଥିଲେ । ସେ କହିଛନ୍ତି ଯେ, ‘‘ ଏମାନେ ସେହି ଲୋକ ଯେଉଁମାନେ ଆଗରୁ ମୁଖ୍ୟମନ୍ତ୍ରୀମାନଙ୍କୁ ଠିକ୍ ଏହି ଭଳି କରିବାକୁ କହୁଥିଲେ,ଯେମିତି ଆମ ସରକାର କରିଛନ୍ତି । ଏମାନେ ସେହି ଲୋକ ଯେଉଁମାନେ ନିଜ ନିର୍ବାଚନ ଘୋଷଣପତ୍ରରେ ଆମେ ଯେଉଁ ପରିବର୍ତ୍ତନ ଆଣିଛୁ ତାହା ସେମାନେ ଆଣିବେ ବୋଲି ଆଗରୁ କହୁଥିଲେ । ଲୋକଙ୍କ ଆର୍ଶିବାଦ ପ୍ରାପ୍ତ ଅନ୍ୟ ଗୋଟିଏ ଦଳ ଯେତେବେଳେ ସେହି ସୁଧାର ଆଣିଲା ସେତେବେଳେ ସେମାନେ ୟୁ-ଟର୍ଣ୍ଣ ନେଇଗଲେ’’।