ମନ କି ବାତ୍‌ରେ ଇସାକ୍ ମୁଣ୍ଡାଙ୍କୁ ମୋଦିଙ୍କ ପ୍ରଶଂସା, ଦିନ ମଜୁରିଆରୁ ପାଲଟିଛନ୍ତି ଇଣ୍ଟରନେଟ୍ ସେନସେସନ

ନୂଆଦିଲ୍ଲୀ: ୭୯ ତମ ମନ୍ କି ବାତ୍‌ରେ ଓଡ଼ିଆ ପୁଅକୁ ମୋଦିଙ୍କ ପ୍ରଶଂସା । ୟୁଟ୍ୟୁବର ସମ୍ବଲପୁରର ଇସାକ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇସାକ ମୁଣ୍ଡା ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୋଦି କହିଛନ୍ତି । ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ଇସାକ ୟୁଟ୍ୟୁବରେ ଓଡ଼ିଶାର ପଖାଳ ଓ ଅନ୍ୟ ପାରମ୍ପରିକ ଖାଦ୍ୟକୁ ନେଇ ଭିଡ଼ିଓ ପ୍ରସ୍ତୁତ କରୁଛନ୍ତି । ତାଙ୍କର ଏହି ଭିଡ଼ିଓକୁ ଦେଶ ବିଦେଶରୁ ଭଲପାଇବା ମିଳୁ ଥିବା ବେଳେ ଏହି ଚ୍ୟାନେଲ ମାଧ୍ୟମରେ ସେ ଟଙ୍କା ରୋଜଗାର କରି ପରିବାର ଚଳାଉଛନ୍ତି । ଯାହାଙ୍କୁ ପ୍ରଶଂସା କରିବା ସହ ସେ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି ।

ଗତବର୍ଷ ଲକଡାଉନ ସମୟରେ ୟୁଟ୍ୟୁବ ଚ୍ୟାନେଲ ଖୋଲି ଜଣେ ସଫଳ ୟୁଟୁବର ଭାବରେ ସାରା ବିଶ୍ୱରେ ବେଶ ନାଁ କମାଇଛନ୍ତି ସମ୍ବଲପୁର ଜିଲ୍ଲାର ଆଦିବାସୀ ଗାଁ ବାବୁପାଲିର ଇସାକ ମୁଣ୍ଡା । ଖୁବ କମ ସମୟରେ ନିଜ ଅଞ୍ଚଳର ଖାଦ୍ୟ, ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀକୁ ୟୁଟ୍ୟୁବରେ ଦେଖାଇ ବେସ ଚର୍ଚାକୁ ଆସିଛନ୍ତି ଇଶାକ । ଦିନ ମଜୁରିଆରୁ ୟୁଟ୍ୟୁବ ସେନସେସନ ପାଲଟିଥିବା ଇସାକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଟେକ୍ନୋଲୋଜିକୁ ବ୍ୟବହାର କରି ଇସାକ ମୁଣ୍ଡା ଆଜି ୟୁଟ୍ୟୁବ୍ ସେନସେସନ୍ ପାଲଟିଥିବାରୁ ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି । ୭୯ତମ ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦି ଟୋକିଓ ଅଲିମ୍ପିକ ବିଷୟରେ ମଧ୍ୟ କହିଛନ୍ତି । ଅଲିମ୍ପିକ୍‌ରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ମୋଦି ଶୁଭକାମନା ଜଣାଇବା ସହ ସେମାନଙ୍କ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜୁଲାଇ ୨୬ରେ କାରଗିଲ୍ ଦିବସ ଥିବାରୁ ପ୍ରଧାନମନ୍ତ୍ରୀ ମନ୍ କି ବାତରେ ସହିଦ ଯବାନଙ୍କ ସ୍ମୃତି ଚାରଣ କରିଥିଲେ ।

Leave a Reply