ହିନ୍ଦୁ ରିତିନୀତିରେ ବିଦାୟ ନେଲେ ହୀରାବେନ, ଶେଷଯାତ୍ରାରେ ସାମିଲ ମୋଦି

1 min read

ଗାନ୍ଧୀନଗର: ପଞ୍ଚଭୂତରେ ଲୀନ ହେଲା ହୀରାବେନଙ୍କ ପାର୍ଥିବ ଶରୀର । ହିନ୍ଦୁ ରିତିନୀତିରେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗାନ୍ଧୀନଗରସ୍ଥିତ ଏକ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି । ମାଆଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଦେବା ସହ ମାଆଙ୍କ କୋକେଇକୁ କାନ୍ଧ ଦେଇଥିଲେ ମୋଦି ।

ଏହାପରେ ମାଆଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ । ଜୀବନ ସାରା ପୁଅର ସାଥ୍ ଦେଇଥିବା ମାଆ ହୀରାଙ୍କ ଶେଷଯାତ୍ରାରେ ଥିଲେ ମୋଦି । ଗାନ୍ଧୀନଗର ସ୍ଥିତ ଶ୍ମଶାନକୁ କାନ୍ଧଦେଇ ନେବା ସହ ସେଠାରେ ମୁଖାଗ୍ନି ଦେଇଥିଲେ । ଶହେ ବର୍ଷ ବୟସରେ ଅହମ୍ମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସ୍ପିଟାଲରେ ଆଜି ଭୋର ସାଢ଼େ ତିନିଟାରେ ହୀରାବେନ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ଅସୁସ୍ଥତା କାରଣରୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ମା’ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ କହିଛନ୍ତି- ସେ ଥିଲେ ଜଣେ ନିସ୍ବାର୍ଥପର କର୍ମଯୋଗୀ । ତାଙ୍କର ଜୀବନ ଥିଲା ମୂଲ୍ୟବୋଧଭିତ୍ତିକ । ଗତ ଜୁନରେ ମାଙ୍କ ଜନ୍ମଦିନ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ । ମା’ଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ ହୋଇଛି ।