କଲ୍ୟାଣ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି, ଭାବୁକ ହେଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: କଲ୍ୟାଣ ସିଂଙ୍କ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ଷ୍ନୌରେ ପହଁଚିବା ପରେ ବିଜେପିର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଅନ୍ତିମ ଦର୍ଶନ  କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାବୁକ ହୋଇପଡ଼ି ଥିଲେ । କଲ୍ୟାଣ ସିଂଙ୍କ ବିୟୋଗ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ସାରା ଜୀବନ ସମାଜ ସେବାରେ ନିଜରୁ ସମର୍ପିତ କରିଥିଲେ କଲ୍ୟାଣ ସିଂ । ତାଙ୍କ ଜୀବନି ଅନ୍ୟମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି କହିଥିଲେ ମୋଦି।

ସେହିପରି ମୋଦିଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓ ୟୁପି ବିଜେପିର ଅନେକ ବରିଷ୍ଠ ନେତା କଲ୍ୟାଣ ସିଂଙ୍କ ଶେଷ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଅନେକ ନେତା ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କଲ୍ୟାଣ ସିଂଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଶନିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଜନପ୍ରିୟ ନେତା କଲ୍ୟାଣ ସିଂହ  । ୮୯ ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ ହୋଇଥିଲା । ଗତ ଦେଢ଼ବର୍ଷ ହେବ ଏକାଧିକ ରୋଗରେ ପୀଡ଼ିତ ଥିଲେ । କଲ୍ୟାଣ ସିଂହ ବିଜେପିର ଜଣେ ବରିଷ୍ଠ ନେତା ଥିଲେ । ସେ ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି । ବାବ୍ରି ମସଜିଦ୍‌ର ଢାଞ୍ଚା ଭଙ୍ଗାଯିବା ସହ ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ ନାୟକ ଥିଲେ ସ୍ୱର୍ଗତ କଲ୍ୟାଣ ସିଂହ  ।

Leave a Reply