ଲକ୍‌ଡାଉନ୍‌ ୩.୦: ପ୍ରଧାନମନ୍ତ୍ରୀ କହିଲେ, କରୋନାରୁ ନିଜକୁ ରକ୍ଷା କରିବାରେ ଭାରତ ଅନେକାଂଶରେ ସଫଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କରୋନା ଭାଇରସ୍ ମହାମାରୀ ବିରୋଧୀ ଯୁଦ୍ଧ ପ୍ରସଙ୍ଗରେ ଆଜି ପୁଣି ଥରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଅପରାହ୍ନ ୩ ଟାରୁ ଆରମ୍ଭ ହୋଇଥିବା ଏହି ମାରାଥନ୍ ବୈଠକରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ରାୟ ନିଆଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମେ ଏହି ବୈକକୁ ସମ୍ବୋଧିତ କରିଥିଲେ।

ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ରାଜ୍ୟମାନେ ଏକାଠି କାମ କରୁଛନ୍ତି । କ୍ୟାବିନେଟ ସଚିବ ରାଜ୍ୟ ସଚିବଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସନ୍ତୁଳିତ ରଣନୀତିକୁ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ଆହ୍ୱାନ ସବୁ କ’ଣ ଏବଂ ଏହାକୁ ନେଇ କେଉଁଭଳି ମୁକାବିଲା କରିବାକୁ ପଡ଼ିବ ତାହା ଉପରେ କାର୍ଯ୍ୟ କରିବାକୁ ହେବ ।

ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ ଆପଣଙ୍କ ସମସ୍ତଙ୍କ ପରାମର୍ଶ ଅନୁଯାୟୀ ନିର୍ଦ୍ଦେଶାବଳୀ ସ୍ଥିର ହେବ । ଭାରତ ଏହି ସଙ୍କଟରୁ ନିଜକୁ ରକ୍ଷା କରିବାରେ ବହୁ ପରିମାଣରେ ସଫଳ ହୋଇଛି । ରାଜ୍ୟମାନେ ସେମାନଙ୍କର ଦାୟିତ୍ୱ ତୁଲାଇଛନ୍ତି ।

ସାମାଜିକ ଦୂରତା ଉପରେ ଗରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁଇ ମିଟର ଦୂରତା ନମାନିଲେ ସଙ୍କଟ ବଢ଼ିବ । ଆମେ ଲକଡାଉନ୍‌କୁ କିଭଳି ଭାବେ କାର୍ଯ୍ୟକାରୀ କରୁଛୁ ତାହା ହେଉଛି ବଡ଼ ବିଷୟ ।

ପ୍ରବାସୀ ଶ୍ରମିକଙ୍କ ପଳାୟନ ଉପରେ ପ୍ରଧାନମନ୍ତ୍ରୀ ତାଙ୍କ ମତ ରଖିଥିବା କୁହାଯାଉଛି । ସେ କହିଛନ୍ତି ଯେ ଯିଏ ଯେଉଁଠାରେ ଅଛି ସେ ସେହିଠାରେ ରୁହନ୍ତୁ ବୋଲି ଆମେ ଚାହୁଛୁ, କିନ୍ତୁ ଆମକୁ କିଛି ନିୟମ ବଦଳାଇବାକୁ ପଡ଼ିଛି । ଭାରତର ଗାଁ ଗୁଡ଼ିକ ମଧ୍ୟକୁ ଯେଉଁଭଳି ଏହି ସଙ୍କଟ ପ୍ରବେଶ ନକରେଳ ତାହା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।

ପ୍ରଧାନମନ୍ତ୍ରୀ କରୋନା ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ବିଷୟରେ ମଧ୍ୟ ଆଲୋଚନା କରିଥିବା କୁହାଯାଉଛି । ଆର୍ଥିକ ପ୍ରସଙ୍ଗ ଉପରେ ସେ ମୁଖ୍ୟମନ୍ତ୍ରୀ ମାନଙ୍କ ମତାମତ ଲୋଡ଼ିଛନ୍ତି ।

Leave a Reply