ଓଡ଼ିଶାର ମସାଲା ଚା’କୁ ପ୍ରଶଂସା କରିବା ସହ କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ହେଉଥିବା ତିନିଦିନିଆ ଡିଜିପି ସମ୍ମିଳନୀରେ ସାମିଲ ହେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି । ରାଜଧାନୀ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଓଡ଼ିଶାର ମସାଲା ଚା’କୁ ପ୍ରଶଂସା କରିବା ସହ ନାଁ ନନେଇ ବିରୋଧୀ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀ ସମ୍ବିଧାନ ଓ ଲୋକତନ୍ତ୍ରର ସବୁ ମାନସମ୍ମାନକୁ ଦଳିମକଚି କ୍ଷମତାକୁ ଫେରିବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀ କଟାକ୍ଷ କରି କହିଛନ୍ତି ।
ସେ କହିଛନ୍ତି, କିଛି ଲୋକ କ୍ଷମତାକୁ ନିଜ ଜନ୍ମଗତ ଅଧିକାର ଭାବୁଥିଲେ । କିନ୍ତୁ ସେମାନେ କେନ୍ଦ୍ରରେ ଗତ ଏକ ଦଶନ୍ଧି ଧରି କ୍ଷମତାରେ ନାହାଁନ୍ତି । ଏଥିପାଇଁ ସେମାନେ ସାଧାରଣ ଲୋକଙ୍କ ଉପରେ ମଧ୍ୟ ରାଗ ଶୁଝାଉଛନ୍ତି । କ୍ଷମତାକୁ ଆସିବା ଜିଦରେ ସେମାନେ ଦେଶ ବିପକ୍ଷରେ ଷଡଯନ୍ତ୍ର କରୁଛନ୍ତି ।
ଆଗକୁ ସେ କହିଛନ୍ତି, ବିରୋଧୀ ଦଳ କେବଳ ଅପପ୍ରଚାର କରୁଛନ୍ତି । ରାଜନୀତିରେ ନୀତିଗତ ବିରୋଧ ରହିବା ସ୍ୱଭାବିକ । ବିରୋଧୀ ଦଳମାନେ ସରକାର ବିରୋଧରେ ଆନ୍ଦୋଳନ କରନ୍ତି । କିନ୍ତୁ ଦେଶକୁ ଖରାପ ରାସ୍ତାରେ ନେବାକୁ ସେମାନେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।
ଓଡ଼ିଶା ମସାଲା ଚା’ ପିଇ ଖୁସି ଲାଗିଲା
ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପର୍ବ କଥା ମନେ ପକାଇ ରାଜ୍ୟର ମସାଲା ଚା’କୁ ପ୍ରଶଂସା କରିଥିଲେ । କହିଥିଲେ, ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହୋଇ ଭଲ ଲାଗିଥିଲା । ସେଠାରେ ଓଡ଼ିଶାର ମସାଲା ଚା’ ପିଇ ଖୁସି ଲାଗିଲା । ଆପଣମାନଙ୍କ ଆତିଥ୍ୟରେ ବହୁତ ଖୁସି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ରାଜଧାନୀରେ ଭବ୍ୟ ସ୍ବାଗତ
ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ରାଜ୍ୟ ବିଜେପି ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତା ଓ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ସେଠାରୁ ସେ ବିମାନବନ୍ଦର ଛକରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ ।