ମୋଦିଙ୍କ ପ୍ୟାକେଜ୍: ୨୦ ଲକ୍ଷ କୋଟି ନୁହେଁ ୧୩ ଲକ୍ଷ କୋଟିର ଅର୍ଥନୈତିକ ବୁଷ୍ଟର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶକୁ ସମ୍ବୋଧିତ କରିବାବେଳେ ୨୦ ଲକ୍ଷ କୋଟି ଟଙ୍କାର ଏକ ବୃହତ ଅର୍ଥନୈତିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ପିଏମ୍‌ ମୋଦି ଏହାକୁ ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ୍‌ ନାଁ ଦେଇଛନ୍ତି । ମୋଦିଙ୍କ ଏହି ପ୍ୟାକେଜ୍‌ ଏଥିପାଇଁ ଐତିହାସିକ ଯେ, ଏହା ହେଉଛି ୨୦ ଲକ୍ଷ କୋଟି ଟଙ୍କାର ସବୁଠାରୁ ବଡ ଅର୍ଥନୈତିକ ପ୍ୟାକେଜ୍‌ । ମଙ୍ଗଳବାର ରାତି ୮ଟାରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ସେ କହିଛନ୍ତି ଯେ, ଏହି ପ୍ୟାକେଜରେ ଅର୍ଥମନ୍ତ୍ରୀ ଏବଂ ଆରବିଆଇ ପୂର୍ବରୁ ଦେଇଥିବା ପ୍ୟାକେଜ୍‌ ମଧ୍ୟ ସାମିଲ ରହିଛି । ଏନେଇ ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଛି ।

ସବୁଠାରୁ ବଡ଼ କଥା ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୪.୭୪ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିସାରିଛି । ପ୍ରଥମେ, ମାର୍ଚ୍ଚ ୨୭ ରେ, ରିଜର୍ଭ ବ୍ୟାଙ୍କ ନଗଦ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଘୋଷଣା କରିଥିଲା ​​ଏବଂ ରେପୋ ହାରରେ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରିବାକୁ ଘୋଷଣା କରିଥିଲା । ସିଆର୍‌ଆର୍‌କୁ ୪ ରୁ ୩ ପ୍ରତିଶତକୁ ଖସାଯାଇଛି ।

ପ୍ରଥମ ଟାର୍ଗେଟେଡ୍ ଲଙ୍ଗ୍ ଟର୍ମ ରେପୋ ଅପରେସନ୍‌ରେ ୧ ଲକ୍ଷ କୋଟି ଟଙ୍କାର ନଗଦ ପ୍ରବାହ ପାଇଁ କୁହାଯାଇଥିଲା । ଏହି ବ୍ୟବସ୍ଥା ଦ୍ୱାରା ପ୍ରାୟ ୩.୭୪ ଲକ୍ଷ କୋଟି ଟଙ୍କା ନଗଦ ଆସିବ ବୋଲି କୁହାଯାଇଛି । ପରେ ଏପ୍ରିଲ ୧୭ରେ ରିଜର୍ଭ ବ୍ୟାଙ୍କ ପୁଣିଥରେ ନଗଦ ପ୍ରବାହକୁ ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପଦକ୍ଷେପ ନେଇଛି । ସେହିଭଳି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧.୭ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଥିଲେ । ଯେଉଁଥିରେ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ସାହାଯ୍ୟ କରାଯିବ ବୋଲି କୁହାଯାଇଥିଲା । ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହି ୧.୭ ଲକ୍ଷ କୋଟି ଟଙ୍କା ସିଧାସଳଖ ଗରିବଙ୍କ ଆକାଉଣ୍ଟକୁ ପଠାଯାଉଛି ।

ଏହି ପରିପ୍ରେକ୍ଷିରେ ପ୍ରାୟ ୬.୪୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ପୂର୍ବରୁ ଘୋଷଣା ହୋଇସାରିଛି । ତେଣୁ ଏଥିରୁ ସ୍ପଷ୍ଟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ସମ୍ପୂର୍ଣ୍ଣ ନୂଆ ପ୍ୟାକେଜ୍‌ ଘୋଷଣା କରିନାହାନ୍ତି । ସେ ୧୩.୫୬ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ୬.୪୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ କେଉଁ କେଉଁ ଆଧାରରେ ଖର୍ଚ୍ଚ କରାଯିବ ସେନେଇ ପୂର୍ବରୁ ଘୋଷଣା ହୋଇସାରିଛି ।

ଆଜି ଅପରାହ୍ନ ୪ଟା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କା କେଉଁ ଦିଗରେ କେତେ ଖର୍ଚ୍ଚ ହେବ ସେନେଇ ବିସ୍ତୃତ ବିବରଣି ଦେବେ ।

Leave a Reply