spot_img

Latest Posts

ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ,ଆଉ ଅଧିକ ସହିବୁନି

ନନ୍ଦିଘୋଷ ବ୍ୟୁରୋ: ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗରରେ ଏକ ସଭାକୁ ସମ୍ବୋଧିତ କରି ଅପରେସନ ସିନ୍ଦୁରର ପ୍ରତିଧ୍ୱନୀ ସାରା ବିଶ୍ୱରେ ଶୁଭିଛି ବୋଲି କହିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି, “୭୫ ବର୍ଷ ଧରି ଆମେ ଆତଙ୍କବାଦର ଦଂଶନ ସହି ଆସୁଛୁ, କିନ୍ତୁ ଏବେ ଆଉ ନୁହେଁ । ଭାରତ ଆଉ ସହ୍ୟ କରିବ ନାହିଁ । ଆତଙ୍କବାଦର ଏହି କଣ୍ଟାକୁ ଆମେ ସମୂଳେ ଓପାଡି ଫୋପାଡ଼ିବୁ।”

ଗାନ୍ଧୀନଗରରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ?
ଗାନ୍ଧୀନଗରରେ ଏକ ବିଶାଳ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରେସନ ସିନ୍ଦୁରର ସଫଳତାର ଉଲ୍ଲେଖ କରି ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, “ଶରୀର ଯେତେ ସୁସ୍ଥ ହେଉନା କାହିଁକି, ଗୋଟିଏ କଣ୍ଟା ସମଗ୍ର ଶରୀରକୁ ଯନ୍ତ୍ରଣା ଦିଏ। ତେଣୁ ଆମେ ନିଷ୍ପତ୍ତି ନେଇଛୁ, ଆମେ ଏହି କଣ୍ଟାକୁ ନିଶ୍ଚିତ ଭାବେ ବାହାର କରିବୁ।”

୧୯୪୭ରେ ଶତ୍ରୁଙ୍କୁ ନଷ୍ଟ କରାଯାଇଥିଲେ ପହଲଗାମ ହୋଇନଥାନ୍ତା
ପାକିସ୍ତାନକୁ ତୀବ୍ର ଆକ୍ରମଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “୧୯୪୭ରେ ମା’ ଭାରତୀର ଖଣ୍ଡବିଖଣ୍ଡନ ହୋଇଥିଲା । ଜଞ୍ଜୀର କାଟିବା ଉଚିତ ଥିଲା, କିନ୍ତୁ ବାହୁ କଟାଗଲା। ଦେଶକୁ ତିନୋଟି ଖଣ୍ଡରେ ବିଭାଜିତ କରାଗଲା ଏବଂ ସେହି ରାତିରେ କଶ୍ମୀର ଭୂମିରେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହେଲା। ମା’ ଭାରତୀର ଏକ ଅଂଶ ଆତଙ୍କବାଦୀ ଓ ମୁଜାହିଦ୍ଦୀନଙ୍କ ବଳରେ ପାକିସ୍ତାନ ହସ୍ତଗତ କରିନେଲା। ଯଦି ସେହି ଦିନ ଏହି ମୁଜାହିଦ୍ଦୀନମାନଙ୍କୁ ମୃତ୍ୟୁ ଦିଆଯାଇଥାନ୍ତା ଏବଂ ସରଦାର ପଟେଲଙ୍କ କଥା ମାନି ନିଆଯାଇଥାନ୍ତା, ତେବେ ୭୫ ବର୍ଷ ଧରି ଚାଲିଆସୁଥିବା ଏହି ଘଟଣାକ୍ରମ ଦେଖିବାକୁ ମିଳିନଥାନ୍ତା।”

ଅପରେସନ ସିନ୍ଦୁର: ପାକିସ୍ତାନକୁ ସମୁଚ୍ଚିତ ଜବାବ
ପ୍ରଧାନମନ୍ତ୍ରୀ ପାକିସ୍ତାନ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ ଭାରତ ତିନିଥର ଯୁଦ୍ଧକ୍ଷେତ୍ରରେ ପାକିସ୍ତାନକୁ ପରାସ୍ତ କରିଛି ଏବଂ ଏବେ ଅପରେସନ ସିନ୍ଦୁର ମାଧ୍ୟମରେ ଭାରତୀୟ ସେନା ଆତଙ୍କର ମୁଖ୍ୟମାନଙ୍କୁ ପୁଣି ଥରେ ଶିକ୍ଷା ଦେଇଛି। ଏହି ଅପରେସନରେ ଭାରତୀୟ ସେନା ପାକିସ୍ତାନ ଭୂମିରେ ୯ଟି ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିଛି। ବିଶେଷ କଥା ହେଲା, ଏହି ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ କ୍ୟାମେରା ସାମ୍ନାରେ ହୋଇଛି, ଯାହାଦ୍ୱାରା ପାକିସ୍ତାନ ଓ ତାର ସମର୍ଥକମାନେ ଏବେ ପ୍ରମାଣ ମାଗିବାର ସାହସ କରିବେ ନାହିଁ।

ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶଭକ୍ତିର ଜୁଆର
ପ୍ରଧାନମନ୍ତ୍ରୀ ତାଙ୍କର ଦୁଇ ଦିନିଆ ଗୁଜରାଟ ଗସ୍ତର ଉଲ୍ଲେଖ କରି କହିଛନ୍ତି, “ମୁଁ ଦୁଇ ଦିନ ଧରି ଗୁଜରାଟରେ ଅଛି। ଗତକାଲି ବଡୋଦରା, ଦାହୋଦ, ଭୁଜ, ଅହମଦାବାଦ ଏବଂ ଆଜି ଗାନ୍ଧୀନଗରରେ ଅଛି। ମୁଁ ଯେଉଁଠାକୁ ଯାଇଛି, ସେଠାରେ ଜନତାଙ୍କ ହୃଦୟରେ ମାତୃଭୂମି ପ୍ରତି ଅପାର ପ୍ରେମ ଏବଂ ଦେଶଭକ୍ତିର ଜୁଆର ଦେଖିବାକୁ ମିଳୁଛି। ଏହି ଦୃଶ୍ୟ କେବଳ ଗୁଜରାଟରେ ନୁହେଁ, ହିନ୍ଦୁସ୍ତାନର ପ୍ରତ୍ୟେକ କୋଣରେ, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହିଛି।”

Latest Posts

Don't Miss