ମୋଦିଙ୍କ ଜରୁରୀ ପରିସ୍ଥିତି ମନ୍ତବ୍ୟକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

1 min read

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ଦିନରେ ଶାସକ-ବିରୋଧୀ ମୁହାଁମୁହିଁ । ସମ୍ବିଧାନକୁ ନେଇ ପ୍ରଥମ ପ୍ରଧାନମନ୍ତ୍ରୀ ମୋଦିଙ୍କ କଟାକ୍ଷ ପରେ ବିରୋଧୀଙ୍କ ଗର୍ଜନ । ଜରୁରୀକାଳୀନ ପରିସ୍ଥିତି ପ୍ରସଙ୍ଗ ଉଠାଇଥିବାରୁ ମୋଦିଙ୍କୁ କଡ଼ା ଜବାବ ଦେଇଛି କଂଗ୍ରେସ ।

କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ‘କେବଳ ଏହି କଥା କହି କହି କେତେ ଦିନ ଆଉ ଆପଣ କ୍ଷମତା ଉପଭୋଗ କରିବେ, ଶାସନ କରିବେ । ଆପଣ ତ ନିଜେ ୧୦ ବର୍ଷ ହେଲା ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରି କରିଛନ୍ତି ।’

ଆଜି ଅଷ୍ଟାଦଶ ଲୋକସଭା ଆରମ୍ଭ ହେବା ପୂର୍ବରୁ ଗୃହ ବାହାରେ ପ୍ରଧାନମନ୍ତ୍ରୀ ମୋଦି ଜରୁରୀ ପରିସ୍ଥିତି ପ୍ରସଙ୍ଗ ଉଠାଇଥିଲେ । ମୋଦି କହିଥିଲେ, ଜୁନ୍ ୨୫ ହେଉଛି ଭାରତୀୟ ଗଣତନ୍ତ୍ରର ଏକ କଳା ଦିନ । ଏହି ଦିନ ଗଣତନ୍ତ୍ର ଓ ସମ୍ବିଧାନକୁ ଧ୍ବଂସ କରି ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା । ଏହାକୁ କେହି ଭୁଲି ନାହାନ୍ତି । ଆସନ୍ତାକାଲି  ଏହି କଳା ଅଧ୍ଯାୟକୁ ୫୦ ବର୍ଷ ପୂରୁଛି । ଆମେ ଏକ ସମୃଦ୍ଧ ଗଣତନ୍ତ୍ରର ସଂକଳ୍ପ ନେବା ଯେମିତିକି କେହି ଏପରି କରିବାକୁ ଆଉ ସାହସ କରିପାରିବେ ନାହିଁ ।

୧୯୭୫ ଜୁନ ୨୫ରେ ଆନ୍ତଃ ସୁରକ୍ଷାକୁ ଆଳ କରି ଦେଶରେ ଜରୁରୀ ପରିସ୍ଥିତି ଜାରି କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ଆସନ୍ତାକାଲି ଏହି ଘଟଣାକୁ ୫୦ ବର୍ଷ ପୂରଣ ହେଉଥିବାରୁ ମୋଦି ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ କରିଥିଲେ ।

ସେପଟେ ଆଜି ଅଷ୍ଟାଦଶ ଲୋକସଭାର ପ୍ରଥମ ଦିନରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ହାତରେ ସମ୍ବିଧାନ ଧରି ଏନଡିଏ ବିରୋଧରେ ବିକ୍ଷୋଭ କରିଛନ୍ତି । ପାର୍ଲାମେଣ୍ଟ ପରିସରରେ ଗାନ୍ଧି ମୂର୍ତ୍ତି ତଳେ, ଏପରିକି ସଂସଦର ପ୍ରବେଶ ଦ୍ବାରରେ ସେମାନେ ଧାରଣା ଦେଇଥିଲେ । ପରମ୍ପରାକୁ ଅଣଦେଖା କରି କଂଗ୍ରେସର ବରିଷ୍ଠ ସାଂସଦ କେ. ସୁରେଶଙ୍କ ବଦଳରେ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି କରାଯାଇଥିବାରୁ ଏହି ପ୍ରତିବାଦ କରାଯାଇଥିଲା । ବିରୋଧୀ ସାଂସଦ ଏକଜୁଟ ହୋଇ ଏହାର ବିରୋଧ କରିଛନ୍ତି । ରାହୁଲ ଗାନ୍ଧି କହିଛନ୍ତି, ସମ୍ବିଧାନକୁ ଯେପରି ଭାବେ ଅବମାନନା କରାଯାଉଛି, ଆମେ ତାହା ହେବାକୁ ଦେବୁ ନାହିଁ ।