ଉପରାଷ୍ଟ୍ରପତି ନିର୍ବାଚନ: ହ୍ବିଲଚେୟାରରେ ଆସିଲେ ମନମୋହନ, ଭୋଟ ଦେଲେ ମୋଦି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ ପ୍ରକ୍ରିୟା  । ସଂସଦ ଭବନରେ ପ୍ରଥମେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ସେହିପରି ଗୃହ ମନ୍ତ୍ରୀ ଅମିତ ଶାହା, କଂଗ୍ରେସ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି  । ସନ୍ଧ୍ୟା ୫ଟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିବ  ।

ଏନଡିଏ ସମର୍ଥିତ ପ୍ରାର୍ଥୀ ତଥା ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଲୋକସଭାରେ ବିଜେପି ପୂର୍ଣ୍ଣ ସମର୍ଥନ ଦେଉଛି  । ସେହିପରି ଆଞ୍ଚଳିକ ଦଳ ବିଜେଡି, ଜନତା ଦଳ (ୟୁନାଇଟେଡ), ୱାଇଏସଆରସିପି, ବିଏସପି, ଏଆଇଏଡିଏମକେ, ଶିବସେନାର ୫୧୫ ସାଂସଦଙ୍କ ଭୋଟ ବଳରେ ଧନଖରଙ୍କ ବିଜୟ ସୁନିଶ୍ଚିତ  । ସେପଟେ ରାଜ୍ୟସଭାରେ ଧନଖରଙ୍କୁ ୯୧ ସଦସ୍ୟଙ୍କ ସମର୍ଥନ ପ୍ରତିଦ୍ବନ୍ଦୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ  ।

ଉଭୟ ଗୃହର ୭୮୦ ଜଣ ସାଂସଦ ମତଦାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି  ।    ଏନଡିଏରୁ ଜଗଦୀପ ଧନଖଡ଼ ପ୍ରାର୍ଥୀ ହୋଇଥିବା ବେଳେ ମାର୍ଗାରେଟ୍ ଆଲଭା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ସଂସଦର ଉଭୟ ଗୃହର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି ।

ଆଜି ଭୋଟ୍ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ୍ ଗଣତି ହେବ । ଆସନ୍ତା ୧୦ ତାରିଖରେ ଶେଷ ହେଉଛି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସରକାର ଉପରାଷ୍ଟ୍ରପତି ନିର୍ବାଚନରୁ ବାଦ୍‌ ପଡିବା ପାଇଁ ନିଷ୍ପତ୍ତି ନେଇଥିଲା ।