ଦେଶର ଦୀର୍ଘତମ ସେତୁ ‘ଅଟଳ ସେତୁ’ ଲୋକାର୍ପିତ, ଜାଣନ୍ତୁ ଗାଡ଼ି ଚଳାଚଳ ନେଇ କ’ଣ ରହିଛି ନିୟମ…

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କର ଉଦଘାଟନ କରିଛନ୍ତି। ଏହା ସମୁଦ୍ର ଉପରେ ନିର୍ମିତ ଦେଶର ଦୀର୍ଘତମ ସେତୁ । ଏହି ସେତୁ ଦେଇ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ।  ପୂର୍ବରୁ ଯାତାୟାତ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗୁଥିଲା।

ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ ‘ଅଟଳ ସେଟୁ’ ଭାବରେ ମଧ୍ୟ ପରିଚିତ । ଡିସେମ୍ବର ୨୦୧୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସେତୁ ମୁମ୍ବାଇ ଏବଂ ପୁଣେ ମଧ୍ୟରେ ଯାତାୟାତ ସମୟକୁ ମଧ୍ୟ ହ୍ରାସ କରିବ। ଆହୁରି ମଧ୍ୟ ଏଥିଯୋଗୁଁ ମୁମ୍ବାଇ ପୋର୍ଟ ଏବଂ ଜବାହରଲାଲ ନେହେରୁ ପୋର୍ଟ ମଧ୍ୟରେ ମଧ୍ୟ ଭଲ ସଂଯୋଗିକରଣ ହେବ। ତେବେ ଆସନ୍ତୁ ଜାଣିବା ସେତୁର କ’ଣ ବିଶେଷତ୍ୱ ରହିଛି ଏବଂ ଏହା ଉପରେ କେଉଁ ଗାଡ଼ି ଚଳାଚଳ କରିପାରିବ । ଆଉ କ’ଣ ରହିଛି କଟକଣା…

୧.ଏହି ସେତୁ ଦକ୍ଷିଣ ମୁମ୍ବାଇର ସେବରିରୁ ଆରମ୍ଭ ହୋଇ ନଭି ମୁମ୍ବାଇର ନଭା ଶେବା ପର୍ଯ୍ୟନ୍ତ ଯିବ । ଏହି ସେତୁ ଦେଇ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ।  ପୂର୍ବରୁ ଯାତାୟାତ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗୁଥିଲା।

୨. କେମିତି ରହିବ ସଂଯୋଗୀକରଣ?

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କହିବାନୁସାରେ, ଏହି ସେତୁ ମୁମ୍ବାଇକୁ ମୁମ୍ବାଇ-ଗୋଆ ରାଜପଥ, ଭାସାଇ ଏବଂ ବିରାର, ନାଭି ମୁମ୍ବାଇ ଏବଂ ରାୟଗଡ ଜିଲ୍ଲା ସହିତ ସଂଯୋଗ କରିବ । ଏହା ଫଳରେ ନାଭି ମୁମ୍ବାଇକୁ ଅନେକ ନୂତନ ପ୍ରକଳ୍ପ ଏବଂ ବଡ଼ବଡ଼ କମ୍ପାନୀ ଆସିବା ନେଇ ଆଶା ରହିଛି ।

୩. କେତେ ଲମ୍ବା ଏହି ସେତୁ ?

ଅଟଳ ସେତୁ ୬ ଲେନ୍ ବିଶିଷ୍ଟ। ଏହି ସେତୁଟି ୨୧.୮ କିଲୋମିଟର ଲମ୍ବ ରହିଛି। ଏହାର ୧୬.୫ କିଲୋମିଟର ଅଂଶ ସମୁଦ୍ରରେ ଏବଂ ପ୍ରାୟ ୫.୫ କିଲୋମିଟର ସ୍ଥଳଭାଗରେ ନିର୍ମିତ । ଏହି ସେତୁ ସମୁଦ୍ର ପତ୍ତନଠାରୁ ୧୫ ମିଟର ଉଚ୍ଚରେ ନିର୍ମିତ |

୪.ସେତୁର ମୂଲ୍ୟ କେତେ ରହିଛି?

ଏହି ସେତୁ ପାଇଁ ୧୭,୮୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅଟଳ ସେତୁ ନିର୍ମାଣ ପାଇଁ ୧,୭୭,୯୦୩ ମେଟ୍ରିକ୍ ଟନ୍ ଷ୍ଟିଲ୍ ଏବଂ ୫,୦୪,୨୫୩ ମେଟ୍ରିକ୍ ଟନ୍ ସିମେଣ୍ଟ ବ୍ୟବହାର କରାଯାଇଛି । ଏହି ବ୍ରିଜ ୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଦାବି କରାଯାଇଛି।

୫. ଏହି ସେତୁ କ’ଣ ପାଇଁ ଖାସ୍?

ଏହା କେବଳ ଦେଶର ଦୀର୍ଘତମ ସେତୁ ନୁହେଁ ବରଂ ସମୁଦ୍ର ଉପରେ ନିର୍ମିତ ଭାରତର ଦୀର୍ଘତମ ସେତୁ ମଧ୍ୟ ଅଟେ। ଏହି ସେତୁରେ ସ୍ୱୟଂଚାଳିତ ଟୋଲ୍ ସଂଗ୍ରହ ଏବଂ ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ମଧ୍ୟ ରହିଛି। ଏହା ବ୍ୟତୀତ ଏହି ସେତୁ ନିର୍ମାଣରେ ଲମ୍ବା ଅର୍ଥୋଟ୍ରୋପିକ୍ ଷ୍ଟିଲ୍ ଡେକ୍ସ ବ୍ୟବହାର କରାଯାଇଛି। ଏହି କାରଣରୁ ସେତୁ ନିର୍ମାଣ ପାଇଁ ଅଧିକ ଖମ୍ବର ଆବଶ୍ୟକ ହୋଇନାହିଁ । ଖାସ୍ କଥା ହେଉଛି ଏହାଯୋଗୁଁ ସମୁଦ୍ର ପଥରେ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ । ତେବେ ଭାରତରେ ଏହା ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଛି ।

୬. କେଉଁ ଯାନ ଚଳାଚଳ କରିପାରିବ?

ମୁମ୍ବାଇ ଟ୍ରାଫିକ ପୋଲିସର ସୂଚନାନୁଯାୟୀ, କାର, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନି ବସ୍, ଟୁ-ଏକ୍ସଲ୍ ବସ୍ ଏବଂ ଛୋଟ ଟ୍ରକ୍ ଚଳାଚଳ କରିପାରିବ।

୭. କେଉଁ ଯାନକୁ ଅନୁମତି ଦିଆଯିବ ନାହିଁ?

ମୋଟର ସାଇକେଲ୍, ମୋପେଡ୍, ତିନି ଚକିଆ ଟେମ୍ପୋ, ଅଟୋ ରିକ୍ସା, ଟ୍ରାକ୍ଟର, ସ୍ଲୋ ମୁଭିଂ ଭେହିକିଲ୍  କୁ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ।

୮. କେତେ ରହିବ ଟୋଲ୍?

ଦାବି କରାଯାଉଛି ଯେ, ଏହି ସେତୁ ଦେଇ ଯାତ୍ରା କଲେ ଥରକୁ ୫୦୦ ଟଙ୍କା ମୂଲ୍ୟର ଇନ୍ଧନ ସଞ୍ଚୟ ହେବ। ତେବେ ବ୍ରିଜ ଦେଇ ଯାତ୍ରା କରିବା ପାଇଁ ଟୋଲ ଟ୍ୟାକ୍ସ ମଧ୍ୟ ଆଦାୟ କରାଯିବ। ଏକ କାରରେ ଗୋଟିଏ ଥର ଯାତ୍ରା ପାଇଁ ୨୫୦ ଟଙ୍କା ଟୋଲ୍ ହେବ । ଅପରପକ୍ଷେ ପୁନର୍ବାର ଯଦି ଆପଣ ଫେରୁଛନ୍ତି, ତେବେ ଆପଣଙ୍କୁ ମୋଟ ଟୋଲ୍ ୩୭୫ ଟଙ୍କା ଦେବାକୁ ପଡିବ ।

୯.କେତେ ରହିବ ସ୍ପିଡ୍ ଲିମିଟ୍?

ତେବେ ମୁମ୍ବାଇ ଟ୍ରାଫିକ୍ ପୋଲିସ ଅନୁଯାୟୀ, ଏହି ବ୍ରିଜ୍ ଉପରେ ସ୍ପିଡ୍ ଲିମିଟ୍ ଘଣ୍ଟା ପ୍ରତି ୧୦୦ କିମି. ରହିଛି । ଯଦିଓ ବ୍ରିଜ୍ ଉପରେ ଚଢିବା ଓ ଓହ୍ଲାଇବା ବେଳେ ଘଣ୍ଟା ପ୍ରତି ଗତି ୪୦କିମି. ରହିବ ।