ବାତ୍ୟା ‘ୟଶ୍’ ନେଇ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
1 min readନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ‘ୟଶ୍’ ନେଇ ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟର ଅଧିକାରୀଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ଏଜେନ୍ସି ଭାଗ ନେଇଥିଲେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ‘ୟଶ୍’ ୨୬ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ରହିବ ।
ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ସାମୁଦ୍ରିକ ଝଡ଼ 'ୟଶ୍' ସ୍ଥଳଭାଗ ଛୁଇଁବା ଆକଳନ#CycloneYaas #Cyclone #UPDATE #BayOfBengal #CoastalOdisha #NandighoshaTV pic.twitter.com/6vkVPMTs7i
— NandighoshaTV (@NandighoshaTV) May 23, 2021
ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ରାଜ୍ୟ ସହ ୨୪ ଘଣ୍ଟା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମ୍ପର୍କରେ ରହିଛି । ଆବଶ୍ୟକତା ଅନୁସାରେ ରାଜ୍ୟଗୁଡ଼ିକୁ ଏସଡିଆରଏଫ୍ ଟିମ୍ ପଠାଯାଇଛି । ଏନଡିଆରଏଫର ୪୬ଟି ବୋଟ୍, ଗଛ କାଟିବା ମେସିନ୍, ଟେଲିକମ୍ ଯନ୍ତ୍ରପାତି ସହ ମୁତୟନ ହୋଇଛନ୍ତି । ୧୦ ଗୋଟି ଟିମକୁ ଷ୍ଟାଣ୍ଡବାଏରେ ରଖା ଯାଇଛି ।
ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଜାହାଜ ଓ ହେଲିକପ୍ଟରକୁ ରିଲିଫ୍, ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ୍ କରାଯିବ । ଏୟାର ଫୋର୍ସ ଏବଂ ସେନାର ଇଞ୍ଜିନିୟର ଟାସ୍କ ଫୋର୍ସ ୟୁନିଟ୍ ବୋଟ୍ ଓ ଉଦ୍ଧାର ସାମଗ୍ରୀ ସହ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସହ ନିରନ୍ତର ଭାବେ ଯୋଗାଯୋଗରେ ରହି ସୁରକ୍ଷିତ ସ୍ଥାନାନ୍ତରଣ ତଦାରଖ ପାଇଁ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।