ଦିଲ୍ଲୀରେ ଗଡ଼ିଲା ଦେଶର ପ୍ରଥମ ଚାଳକବିହୀନ ମେଟ୍ରୋ… ପ୍ରଧାନମନ୍ତ୍ରୀ ଦେଖାଇଲେ ସବୁଜ ପତାକା

ନୂଆଦିଲ୍ଲୀ: ଦିଲ୍ଲୀରେ ଗଡ଼ିଲା ଚାଳକବିହୀନ ମେଟ୍ରୋ ଟ୍ରେନ୍ । ଦେଶର ପ୍ରଥମ ଚାଳକବିହୀନ ଟ୍ରେନ୍ ଚଳାଚଳକୁ ଭିଡିଓ କନ୍ଫରେନ୍ସିଂରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଉପସ୍ଥିତ ଥିଲେ । ଏହି ଅବସରରେ ମୋଦି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ୟମକ୍ରମେ ପ୍ରଥମେ ମେଟ୍ରୋ ଟ୍ରେନ ଚାଲିଥିଲା । ଏବେ ୧୮ଟି ସହରରେ ମେଟ୍ରୋ ଚଳାଚଳ କରୁଛି ।
୨୦୨୫ ସୁଦ୍ଧା ୨୫ ସହରରେ ମେଟ୍ରା ଟ୍ରେନ୍ ଚାଲିବା ଯୋଜନା ରହିଛି । ଦିଲ୍ଲୀ-ଏନ୍ସିଆର୍ରେ ଏହି ଚାଳକବିହୀନ ମେଟ୍ରୋ ଟ୍ରେନ ଗଡ଼ିବ । ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ ହେବ ବୋଲି ପିଏମ୍ଓ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ମାଜେଣ୍ଟା ଲାଇନ୍ରେ ପଶ୍ଚିମ ଜନକପୁରୀରୁ ନୋଏଡ଼ା ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ୩୭ କିଲୋମିଟର ଯାଏ ଏହି ଟ୍ରେନ୍ ଚଳାଚଳ କରିବ ।
ପରବର୍ତ୍ତୀ ସମୟରେ ୨୦୨୧ ମଧ୍ୟ ସୁଦ୍ଧା ଏହା ଆଉ ଅଧିକ ୫୬ କିଲୋମିଟର ପର୍ଯ୍ୟନ୍ତ ଗଡ଼ିବ ବୋଲି ସୂଚନା ଦେଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ । ୨୦୧୭ ସେପ୍ଟେମ୍ବରରୁ ପ୍ରଥମେ ଏହାର ଟ୍ରାଏଲ୍ ରନ୍ କରାଯାଇଥିଲା । ଏହି ଟ୍ରେନ୍ ୯୫ କିଲୋମିଟର ପ୍ରତି ଘଣ୍ଟା ହିସାବରେ ଗତି କରିବ । ଏହି ଟ୍ରେନରେ ବହୁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି ।