ସଂଦୀପ୍ତ ରାୟଙ୍କ ଦୁଃଖ ଶୁଣ ସରକାର..
1 min read
ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ସ୍ଵର ପାଲଟିଥିବା ଯୁବ ସାମ୍ବାଦିକ ଆଜି ଶଯ୍ଯାଶାୟୀ । ଦୀର୍ଘ ୫ ବର୍ଷ ହେଲା କିଡନୀ ରୋଗରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ସଂଦୀପ୍ତ ରାୟ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ସ୍ଥିତିରେ ରାଜ୍ଯ ସରକାରଙ୍କ ପାଖରେ ଆର୍ଥିକ ସହାୟତା ଲୋଡିଛନ୍ତି ପୂରା ପରିବାର ।
କୋଭିଡ ବଦଳାଇ ଦେଲା ଯୁବ ସାମ୍ବାଦିକଙ୍କ ଜୀବନର ଗତିପଥ । ଦିନେ ଯେ ଗରିବ ଅସହାୟଙ୍କ ସ୍ଵର ପାଲଟିଥିଲା ସେ ଆଜି ଶଯ୍ଯାଶାୟୀ । ଏ ହେଉଛନ୍ତି ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତ କଳସଢ଼ି ଗାଁର ସଂଦୀପ୍ତ ରାୟ । ସକାଳର ଯାଜପୁର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ । କୋଭିଡ ସମୟରେ ଜନତାଙ୍କ ସ୍ୱର ପାଲଟି ଅନେକ ଲୋକଙ୍କୁ ସହାୟତା କରି ନିଜେ କୋଭିଡ ରୋଗରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ଏକ ମାସ ଧରି କଟକ ଏସସିବି ମେଡିକାଲରେ ଚିକିତ୍ସା ହେବାପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କୋଭିଡରୁ ସିନା ମୁକ୍ତି ପାଇଥିଲେ ମାତ୍ର ସେହି ଦିନ ଠାରୁ ସଂଦୀପ୍ତ କିଡୀନ ରୋଗରେ ଆକ୍ରାନ୍ତ ହୋଇଥିଲେ । ଜୀବନ ସହ ସଂଗ୍ରାମ କରି ଆଜି ସେ ଦୁଇଟିଯାକ କିଡନୀ ହରାଇଛନ୍ତି। ଏବେ ତାଙ୍କର ଡାଏଲିସିସ ଚାଲିଥିବା ବେଳେ ଖୁବ ଶୀଘ୍ର କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଛନ୍ତି। ଏପରି ସ୍ଥିତିରେ ଅର୍ଥ ବାଧକ ସାଜିଥିବାରୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ସଂଦୀପ୍ତଙ୍କ ପରିବାର l
ଦୀର୍ଘ ୫ବର୍ଷ ହେଲା ସଂଦୀପ୍ତ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦୀର୍ଘ ଦିନ ହେବ ଚିକିତ୍ସିତ ହେଉ ଥିବାରୁ ଅନେକ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି । ଏବେ କିଡନୀ ପ୍ରତିରୋପଣ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଏପରି ସ୍ଥିତିରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସଙ୍ଘ ଓ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସାହାର୍ଯ୍ଯର ହାତ ବଢାଇଲେଣି । ତଥାପି ସରକାର ସହାୟତା ଯୋଗାଇଦେବା ଏକାନ୍ତ ଆବଶ୍ଯକ । ସଂଦୀପ୍ତ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି ହେଲେ କର୍ମ କ୍ଷେତ୍ରରେ ହାରି ଯାଇନାହାନ୍ତି । ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ଗରିବ ଅସହାୟଙ୍କ ଅନେକ ଖବର ପରିବେଷଣ କରି ଜନତାଙ୍କ ସ୍ୱର ପାଲଟିଛନ୍ତି ।