୮ ତାରିଖରେ ବାହାରିବ ଯୁକ୍ତଦୁଇ କଳା ରେଜଲ୍ଟ

1 min read

ଭୁବନେଶ୍ବର: ଆଜି ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆସନ୍ତା ୮ ତାରିଖରେ ଯୁକ୍ତଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ।

ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ସିଏଚଏସଇ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଏହା ପ୍ରକାଶ  । www.odisha results.nic.in ଓ SAMS e space ୱେବସାଇଟ ମାଧ୍ୟମରେ ରେଜଲ୍ଟ ପାଉଛନ୍ତି ଛାତ୍ରଛାତ୍ରୀ । ବିଜ୍ଞାନରେ ୭୮ ହଜାର ଓ ବାଣିଜ୍ୟର ୨୪ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି  ।

ଚଳିତବର୍ଷ ରାଜ୍ୟର ୧ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ ଯୁକ୍ତଦୁଇ ପରୀକ୍ଷା ଦେଇଥିଲେ । ବିଜ୍ଞାନରେ ୭୮ ହଜାର ୭୭ ଓ ବାଣିଜ୍ୟରେ ୨୪ ହଜାର ୧୩୬ଜଣ ପରୀକ୍ଷା ଦେଇଥିଲେ ।

ବିଜ୍ଞାନରେ ୯୪ ପ୍ରତିଶତରୁ ଅଧିକ ରେଜଲ୍ଟ

ବିଜ୍ଞାନରେ ୯୪.୧୨ ପ୍ରତିଶତ ରେଜଲ୍ଟ ହୋଇଛି । ମୋଟ ୭୨ ହଜାର ୧୦୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରେଗୁଲାରରେ ୭୦ ହଜାର ୯୧୮ ଓ ଏକ୍ସରେଗୁଲାରରେ ୧୧୮୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୪୨ ହଜାର ୨୦୩ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୩୯ ହଜାର ୫୮୭ ଜଣ ପାସ୍ କରିଛନ୍ତି । ଛାତ୍ରଙ୍କ ପାସ୍ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ୩୪ ହଜାର ୪୦୨ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୨ ହଜାର ୫୧୯ ଜଣ ପାସ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୪.୫୨ ପ୍ରତିଶତ ରହିଛି । ଫାଷ୍ଟ ଡିଭିଜନରେ ୫୦ ହଜାର ୧୫୭ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ସେକେଣ୍ଡ ଡିଭିଜନରେ ୧୪ ହଜାର ୧୨୫ ଓ ଥାର୍ଡ ଡିଭିଜନରେ ୬ ହଜାର ୯୧୦ ଜଣ ପାସ୍ କରିଛନ୍ତି ।

୧୧୨୩ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୧୯୩ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ବିଜ୍ଞାନରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ସର୍ବାଧିକ ରେଜଲ୍ଟ କରିଛନ୍ତି । ଜିଲ୍ଲାରେ ୯୯.୧୧ ପ୍ରତିଶତ ରେଜଲ୍ଟ ହୋଇଛି । ସେହିଭଳି ଫୁଲବାଣୀରେ ସର୍ବନିମ୍ନ ୭୬.୮୧ ପ୍ରତିଶତ ରେଜଲ୍ଟ ହୋଇଛି ।

ବାଣିଜ୍ୟରେ ୮୯ ପ୍ରତିଶତରୁ ଅଧିକ ରେଜଲ୍ଟ

ବାଣିଜ୍ୟରେ ୮୯.୨୦ ପ୍ରତିଶତ ରେଜଲ୍ଟ ହୋଇଛି । ବାଣିଜ୍ୟରେ ମୋଟ ୨୧ ହଜାର ୧୬୫ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରେଗୁଲାରରେ ୨୦ ହଜାର ୮୭୦ ଜଣ ପାସ୍ କରିଥିବା ବେଳେ ଏକ୍ସ ରେଗୁଲାରରେ ୨୮୪ ଓ ପରେସପଣ୍ଡେନ୍ସରେ ୧୧ ଜଣ ପାସ୍ କରିଛନ୍ତି । ମୋଟ ୧୪ ହଜାର ୯୫୮ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୩ ହଜାର ୨୧୧ ଜଣ ପାସ୍ କରିଛନ୍ତି । ସେହିପରି ୮ ହଜାର ୭୬୮ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭ ହଜାର ୯୫୪ ଜଣ ପାସ୍ କରିଛନ୍ତି । ଫାଷ୍ଟ ଡିଭିଜନରେ ୧୦ ହଜାର ୮୮୩ ଜଣ ପାସ୍ କରିଥିବା ବେଳେ ସେକେଣ୍ଡ ଡିଭିଜନରେ ୫ ହଜାର ୫୩ ଓ ଥାର୍ଡ ଡିଭିଜନରେ ୫୨୪୨ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

୧୩୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୨୭୩ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ବାଣିଜ୍ୟରେ ବୌଦ୍ଧ ଜିଲ୍ଲାରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ସେହିପରି ଦେବଗଡ଼ରେ ସର୍ବନିମ୍ନ ୬୧.୫୩ ପ୍ରତିଶତ ରେଜଲ୍ଟ ହୋଇଛି ।