ସରିଲା ଯୁକ୍ତଦୁଇ ନାମଲେଖା, ଚିନ୍ତା ବଢ଼ାଇଲା ଖାଲି ପଡ଼ିଥିବା ସିଟ୍

1 min read

ଭୁବନେଶ୍ବର: ୨୦୨୪- ୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତଦୁଇ ପ୍ରଥମ ବର୍ଷ ନାମଲେଖା ନିମନ୍ତେ ଆବେଦନ ପ୍ରକିୟା ସରିଛି । ହେଲେ ଚିନ୍ତା ବଢାଇଛି ଖାଲି ପଡ଼ିଥିବା ସିଟ୍ । ଚଳିତ ଥର ୭୦ ହଜାରରୁ ଅଧିକ ସିଟ୍ ଖାଲି ପଡ଼ିଛି । ଯୁକ୍ତଦୁଇ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବା ପରିଲକ୍ଷିତ ହୋଇଛି । ଏହାକୁ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଭାଗୀୟ ସମୀକ୍ଷା କରିଛନ୍ତି । କିପରି ପୁଣି ଥରେ ଯୁକ୍ତଦୁଇ ସିଟ୍ ପୂରଣ ହେବ, ସେ ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ମୋଟ ୨ ହଜାର ୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲ । ୫ ଲକ୍ଷ ୪୮ ହଜାର ୨୪୯ଟି ସିଟ୍ । ସେଥିମଧ୍ୟରୁ କଳାରେ ୩ ଲକ୍ଷ ୧୦ ହଜାର ୧୩୬ଟି ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୭୩ ହଜାର ୫୪୯, ବାଣିଜ୍ୟରେ ୪୧ ହଜାର ୮୦, ସଂସ୍କୃତରେ ୧୩ ହଜାର ୮୮, ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୩୯୬ଟି ସିଟ୍ ରହିଛି । ତେବେ ଚଳିତବର୍ଷ ଯୁକ୍ତଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ୪ ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ଆବେଦନ କରିଛନ୍ତି । ଏଥିପାଇଁ ଖାଲି ପଡ଼ିଛି ୭୦ ହଜାରରୁ ଅଧିକ ସିଟ୍ । ଚଳିତବର୍ଷ ୯୬.୦୭ ପ୍ରତିଶତ ପାସ୍ ହାର ରହିଥିବା ସତ୍ତ୍ବେ ସିଟ ପୂରଣ ହୋଇପାରୁନି । ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୧ ଟା ୪୫ ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ । ଅଗଷ୍ଟ ୫ ତାରିଖ ଅପରାହ୍ନ ୩ଟା ସମୟରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇବାକୁ ପଡ଼ିବ । ୨୦ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ତେବେ ଅଗଷ୍ଟ ୧ ତାରିଖରୁ ଯୁକ୍ତଦୁଇ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ କରିବାକୁ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରିଛି । ତେବେ ସିଟ୍ ଖାଲି ପଡ଼ିବାର ପ୍ରକୃତ କାରଣ ଖୋଜିବାରେ ଲାଗି ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗୀୟ ସମୀକ୍ଷା ଜରିଆରେ ସିଟ୍ ପୂରଣ ପାଇଁ ଯୋଜନା କରାଯାଉଛି ।

ଅଧିକାଂଶ ପିଲା ଦଶମ ପରେ ପାଠ ଛାଡ଼ୁଛନ୍ତି । ଅନେକ ଝିଅଙ୍କ ବାହାଘର କରାଯାଉଥିବାରୁ ସେମାନେ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । କିଛି କିଛି ସ୍ଥାନରେ କଲେଜ ଦୂରରେ ଥିବାରୁ ଟଙ୍କା ଖର୍ଚ୍ଚ କରି ପଢିବାକୁ ଚାହୁଁ ନାହାନ୍ତି ଛାତ୍ରଛାତ୍ରୀ । ବାକି ଦକ୍ଷତା ବିକାଶ ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ଦଶମ ପରେ ବୈଷୟିକ ଶିକ୍ଷା ଓ ଅନ୍ୟ ଟ୍ରେନିଂକୁ ବାଛୁଛନ୍ତି । ଯେଉଁଥି ପାଇଁ ପ୍ଲସ ଟୁରେ ସିଟ ଖାଲିପଡୁଛି ।

ପ୍ରତିବର୍ଷ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳକୁ ଦୃଷ୍ଟିରେ ରଖି ଯୁକ୍ତଦୁଇ କଲେଜର ସଂଖ୍ୟା ସହ ବିଭିନ୍ନ ବିଭାଗରେ ସିଟ ମଧ୍ୟ ବୃଦ୍ଧି କରାଯାଉଛି । ହେଲେ ସିଟ୍ ସଂଖ୍ୟା ପୂରଣ ହୋଇ ପାରୁନାହିଁ । ୨୦୨୩ -୨୪ ଶିକ୍ଷା ବର୍ଷରେ ୨ ହଜାର ୨୧୬ ଟି ଯୁକ୍ତଦୁଇ କଲେଜ ରହିଥିବା ବେଳେ ସିଟ ସଂଖ୍ୟା ରହିଥିଲା ୫ ଲକ୍ଷ ୨୪ ହଜାର ୪୧୪ । ସେଥିମଧ୍ୟରୁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ବିଭାଗରେ ମୋଟ ୪ ଲକ୍ଷ ୧୩ ହଜାର ୬୮୦ ଟି ସିଟ ପୂରଣ ହୋଇଥିଲା । ବାକି ୧ ଲକ୍ଷ ୧୦ ହଜାର ୭୩୪ ସିଟ ବଳକା ରହିଥିଲା । ସେହିପରି ଭାବରେ ୨୦୨୨- ୨୩ ଶିକ୍ଷା ବର୍ଷରେ ମୋଟ ଯୁକ୍ତ ଦୁଇ କଲେଜ ସଂଖ୍ୟା ୨୦୬୮ ରହିଥିବା ବେଳେ ମୋଟ ସିଟ ରହିଥିଲା ୫ ଲକ୍ଷ ୯ ହଜାର ୬୫୬ । ସେଥିମଧ୍ୟରୁ ୩ ଲକ୍ଷ ୬୬ ହଜାର ୯୨୪ ଟି ସିଟ ପୂରଣ ହୋଇଥିଲା । ତେବେ ବାକି ୧ ଲକ୍ଷ ୪୨ ହଜାର ୭୩୨ ସିଟ ବଳକା ରହିଥିଲା ।