ପ୍ଲସ ଟୁରେ ବି ଚମକିଲେ ଝିଅ; ପଛରେ ପଡିଲେ ପୁଅ

ଭୁବନେଶ୍ୱର : ଆଜି ଯୁକ୍ତ ଦୁଇର ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଛି । ଗତ ବର୍ଷ ପରି ଏଥର ବି ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ବିଜ୍ଞାନରେ ୮୪.୯୩ ପ୍ରତିଶତ ପାସ ହାର ରହିଥିବା ବେଳେ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ ରହିଛି ।

ଜୁନ୍ ୮ ତାରିଖ ସୁଦ୍ଧା ଆସିବ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଜୁନ୍ ୧୦ ରୁ ଡିଜିଲକର ଆପରୁ ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତାବର୍ଷ ଏକାଥରକେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ନେଇ ସିଏଚ୍ଏସ୍ଇ ପ୍ରତିଶ୍ରୁତି ଦେଇଛି । ଚଳିତ ବର୍ଷ ବିଜ୍ଞାନରେ ୭୮ ହଜାର ୯୩୮ ଛାତ୍ରଛାତ୍ରୀ ପାସ ହୋଇଥିବା ବେଳେ, ପାସ ପ୍ରତିଶତ ରହିଛି ୮୪.୯୩ ପ୍ରତିଶତ ।

ସେଥିମଧ୍ୟରୁ ପୁଅଙ୍କ ପାସ ହାର ୮୪.୨୮% ଥିବା ବେଳେ, ଝିଅଙ୍କ ପାସ ହାର ୮୫.୬୭% ରହିଛି । ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ଜଣ ଛାତ୍ରଛାତ୍ରୀ ପାସ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୨୪ ହଜାର ୨୫୭ ଏବଂ ତୃତୀୟ ଶ୍ରେଣୀରେ ୧୪ ହଜାର ୮୫୨ ଛାତ୍ରଛାତ୍ରୀ ପାସ କରିଛନ୍ତି  । ସେହିଭଳି ୩୫୮ ଜଣ ୯୦% ରୁ ଅଧିକ ନମ୍ବର ରଖିଥିବା ବେଳେ ୨୯୧ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୯୬.୪୧% ପାସ ହାର ହୋଇଥିବା ବେଳେ, ଗଜପତିରେ ସର୍ବନିମ୍ନ ୬୧.୫୫% ପାସ ହାର ରହିଛି ।

ସେହିଭଳି ଭାବେ ବାଣିଜ୍ୟରେ ୧୯ ହଜାର ୫୩୬ ଛାତ୍ରଛାତ୍ରୀ ପାସ କରିଥିବା ବେଳେ, ପାସ ହାର ରହିଛି ୮୧.୧୨ପ୍ରତିଶତ  । ସେଥିରୁ ପୁଅଙ୍କ ପାସ ହାର ୭୯.୫୨% ଥିବା ବେଳେ, ଝିଅଙ୍କ ପାସ ହାର ୮୩.୮୭% ରହିଛି  । ପ୍ରଥମ ଶ୍ରେଣୀରେ ୭୪୧୦ ଛାତ୍ରଛାତ୍ରୀ ପାସ ହୋଇଥିବା ବେଳେ, ଦ୍ଵିତୀୟ ଶ୍ରେଣୀରେ ୪୫୪୩ ଓ ତୃତୀୟ ଶ୍ରେଣୀରେ ୭୪୯୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୦୨ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୯୪ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି  ।

ବାଣିଜ୍ୟ ବିଭାଗରେ ମଧ୍ୟ ନୟାଗଡ ଜିଲ୍ଲା ସର୍ବାଧିକ ୯୩,୯% ପାସ ହାର ଥିବା ବେଳେ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୫୫.୫୫% ପାସ ହାର ରହିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ବିଜ୍ଞାନରେ ୧୦% ଓ ବାଣିଜ୍ୟରେ ୫% ରେଜଲ୍ଟ କମିଛି  । ତେବେ କରୋନା ମହାମାରୀ ପାଇଁ ପ୍ରଥମ ଥର ବୋର୍ଡ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ମହାମାରୀ ପୂର୍ବର ପରୀକ୍ଷା ତୁଳନାରେ ଭଲ ରେଜଲ୍ଟ କରିଛନ୍ତି ବୋଲି ସିଏଚ୍ଏସ୍ଇ କହିଛି ।

କଳା ଏବଂ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପରେ ପୁନଃ ମୂଲ୍ୟାୟନ ଏବଂ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ତାରିଖ ଘୋଷଣା ହେବ । ଆସନ୍ତା ବର୍ଷ ପରୀକ୍ଷା ଢାଞ୍ଚା ଏବଂ ସିଲାବସ୍ କିଭଳି ରହିବ ସେ ନେଇ ଖୁବଶୀଘ୍ର ସିଏଚ୍ଏସ୍ଇ ଜଣାଇବ ବୋଲି କହିଛି । ଏହାସହ ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ ଯୋଜନା କରାଯାଉଛି ।