ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ

ଭୁବନେଶ୍ବର : ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ । ପୂର୍ବାହ୍ନ ୧୧ ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ । ଅଗଷ୍ଟ ୫ ତାରିଖ ଅପରାହ୍ନ ୩ଟା ସମୟରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇବାକୁ ପଡ଼ିବ । ୨୦ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ଅଗଷ୍ଟ ୧ ତାରିଖରୁ ଯୁକ୍ତଦୁଇ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ କରିବାକୁ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରିଛି । ରାଜ୍ୟରେ ମୋଟ ୨ ହଜାର ୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ୫ ଲକ୍ଷ ୪୮ ହଜାର ୨୪୯ଟି ସିଟ୍ ରହିଛି । ସେଥିମଧ୍ୟରୁ କଳାରେ ୩ ଲକ୍ଷ ୧୦ ହଜାର ୧୩୬ଟି ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୭୩ ହଜାର ୫୪୯, ବାଣିଜ୍ୟରେ ୪୧ ହଜାର ୮୦, ସଂସ୍କୃତରେ ୧୩ ହଜାର ୮୮, ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୩୯୬ଟି ସିଟ୍ ରହିଛି । ଚଳିତବର୍ଷ ଯୁକ୍ତଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ୪ ଲକ୍ଷ ୭୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଫଳରେ ୭୦ ହଜାରରୁ ଅଧିକ ସିଟ୍ ଖାଲିପଡ଼ିଛି ।